ନୂଆଦିଲ୍ଲୀ: ଚୀନ୍ ଆଗରୁ ଅନ୍ୟ ଦେଶର ସାମୁଦ୍ରିକ ଅଞ୍ଚଳରେ ଥିବା ସାମୁଦ୍ରିକ ବୈଶିଷ୍ଟ୍ୟଗୁଡ଼ିକର ନାମକରଣ କରିଥିବା ବେଳେ ଏବେ ଭାରତ ମହାସାଗରରେ ଭାରତୀୟ ଅଞ୍ଚଳରେ ବି ତାହାର ପୁନରାବୃତ୍ତି କରିଛି।
ପିପୁଲ୍ସ ଲିବରେସନ ଆର୍ମି ନେଭି (ପିଏଲ୍‌ଏଏନ୍) ଗତ ମାର୍ଚ୍ଚ ମାସର ଶେଷ ଭାଗରେ ଭାରତ ମହାସାଗର ଅଞ୍ଚଳରେ ୫ଟି ସମୁଦ୍ରଶଯ୍ୟାର ଚୀନ୍‌ର ବାଦ୍ୟଯନ୍ତ୍ର ଅନୁସାରେ ନାମକରଣ କରିଛି। ଏହାଫଳରେ ଚୀନ୍ ଭାରତ ମହାସାଗରର ଅନ୍ତର୍ଜାତୀୟ ଜଳରାଶିରେ ନାମକରଣ କରିଥିବା ସାମୁଦ୍ରିକ ବୈଶିଷ୍ଟ୍ୟର ସଂଖ୍ୟା ୯ରେ ପହଞ୍ଚିଛି। ଜନୈକ ପିଏଲ୍‌ଏ ଅଧିକାରୀ ଏହାକୁ ଚୀନ୍‌ର ‘ସଫ୍ଟ ପାୱାର’ର ଉଦାହରଣ ବୋଲି କହିଛନ୍ତି। ଏକ ଅନ୍ତର୍ଜାତୀୟ ରେଜିଷ୍ଟରର ଡାଟାବେସ୍‌ରେ ଏହି ନାମଗୁଡ଼ିକ ସ୍ଥାନ ପାଇଛି।

Advertisment

ଭାରତ ମହାସାଗରର ସମୁଦ୍ରଶଯ୍ୟାଗୁଡ଼ିକର ଚୀନ୍ ଦ୍ବାରା ପ୍ରଦତ୍ତ ନାମଗୁଡ଼ିକ ହେଉଛି: ହୁଆପେଙ୍ଗୁ (ଫ୍ଲାୱାରପଟ୍ ଡ୍ରମ୍) ସି ନଲ, ଟାଙ୍ଗ ଡ୍ରମ୍ ସି ନଲ, ଫିସିଂ ଡ୍ରମ୍ ସି ନଲ, ୱେଷ୍ଟ ଡ୍ରମ୍ ସିମାଉଣ୍ଟ- ଏସବୁ ନାମ ପିଏଲ୍‌ଏର ନାଭାଲ ଷ୍ଟାଫ୍ ଡିପାର୍ଟମେଣ୍ଟର ସୂଚନା କେନ୍ଦ୍ର ଦ୍ବାରା ଚୀନ୍‌ର ବାଦ୍ୟଯନ୍ତ୍ରର ନାମ ଅନୁସାରେ ଦିଆଯାଇଛି। ସିମାଉଣ୍ଟ ହେଉଛି ସମୁଦ୍ର ତଳେ ଥିବା ବଡ଼ ଆଗ୍ନେୟଗିରି ଏବଂ ସି ନଲ ହେଉଛି ଛୋଟ ଆଗ୍ନେୟଗିରି। ଏହା ଉପରେ ଚୀନ୍ ନୌସେନାର ଜନୈକ ଇଂଜିନିୟର ସୁ ଜିନ୍ଦେ କହିଛନ୍ତି ଯେ, ଏହି ନାମକରଣ ଦ୍ବାରା ଉକ୍ତ ସ୍ଥାନଗୁଡ଼ିକ ଉପରେ ଚୀନ୍‌ର ସାର୍ବଭୌମ ଅଧିକାର ସାବ୍ୟସ୍ତ ହୋଇଯିବ ନାହିଁ, କିନ୍ତୁ ଏହା ଆମର ଜାତୀୟ ସଫ୍ଟ ପାୱାରକୁ ପ୍ରତିଫଳିତ କରୁଛି। ବର୍ତ୍ତମାନ ସୁଦ୍ଧା ସମୁଦ୍ର ତଳେ ଥିବା ୨୩୮ଟି ସ୍ଥାନର ନାମକରଣ ଚୀନ୍ କରିସାରିଛି ଯାହା ଅନ୍ତର୍ଜାତୀୟ ଡାଟାବେସ୍‌ରେ ସ୍ଥାନ ପାଇଛି ବୋଲି ସୁ କହିଛନ୍ତି।