ଲଦାଖ ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ଚୀନ୍‌ର ଅଧିକାର ନାହିଁ: ଭାରତ

ନୂଆଦିଲ୍ଲୀ: ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ମନ୍ତବ୍ୟ ଦେବାକୁ ଚୀନ୍‌ର ଅଧିକାର ନାହିଁ ବୋଲି ଆଜି ନୂଆଦିଲ୍ଲୀ ଗୁରୁତ୍ବାରୋପ କରି କହିଛି । ସୋମବାର ଦିନ ସୀମାନ୍ତ ଅଞ୍ଚଳରେ ଭାରତ ୪୪ଟି ସେତୁ ଉଦ୍‌ଘାଟନ କରିବା ପରେ ବେଜିଙ୍ଗ୍ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକଥା କହିଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ସୀମାନ୍ତ ଅଞ୍ଚଳରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କେତେଗୁଡ଼ିଏ ସେତୁ ଉଦ୍‌ଘାଟନ କରିବା ପରେ ଚୀନ୍ କହିଥିଲା କି, ଭାରତ ବେଆଇନ ଭାବେ ଗଠନ କରିଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନ୍ ସ୍ବୀକାର କରେନାହିଁ।

ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ଝାଓ ଲିଜିଆନ୍ କହିଥିଲେ ଯେ, ସୀମାନ୍ତରେ ଭିତ୍ତିଭୂମି ସ୍ଥାପନ ହେଉଛି ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ସୃଷ୍ଟିର ମୂଳ କାରଣ। ତେଣୁ ଦୁଇ ଦେଶ ଉତ୍ତେଜନା ବୃଦ୍ଧି ହେବା ପରି କୌଣସି କାର୍ଯ୍ୟକ୍ରମ ନ କରିବା ଉଚିତ।

Image Courtesy of Hindustan Times

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଅଟେ ଏବଂ ରହିବ ମଧ୍ୟ। ଅରୁଣାଚଳ ପ୍ରଦେଶରେ ମଧ୍ୟ ଆମର ସ୍ଥିତି ସମ୍ବନ୍ଧରେ ଅନେକ ଥର ସ୍ପଷ୍ଟ କରାଯାଇଛି। ଅରୁଣାଚଳ ପ୍ରଦେଶ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଓ ଅଭିନ୍ନ ଅଂଶ। ଉଚ୍ଚସ୍ତରରେ ମଧ୍ୟ ଅନେକ ଥର ଏ କଥା ଚୀନ୍‌କୁ ଜଣାଇ ଦିଆଯାଇଛି।

ଚୀନ୍‌କୁ ଉତ୍ତର ଦେବାକୁ ଯାଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଦେଶମାନେ ତାଙ୍କ ଦେଶର ମାମଲାରେ ମନ୍ତବ୍ୟ ନ ଦିଅନ୍ତୁ ବୋଲି ସେମାନେ ଆଶା କରୁଥିବାରୁ ସେମାନେ ମଧ୍ୟ ଭାରତର ଅଭ୍ୟନ୍ତର ମାମଲାରେ ମନ୍ତବ୍ୟ ଦିଅନ୍ତୁ ନାହିଁ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ସୀମାନ୍ତ ଅଞ୍ଚଳ ପ୍ରତି ଆମେ ବିଶେଷ ଧ୍ୟାନ ଦେଉଛୁ। ସହମତି ଆଧାରରେ ଯତ୍ନବାନ ହେଲେ ଧୀରେ ଧୀରେ ଶାନ୍ତି ଓ ସ୍ଥିରତା ଫେରି ଆସିବ।

ସମ୍ବନ୍ଧିତ ଖବର