ଚୀନ ଭାରତର ୫୦ରୁ ୬୦ କିଲୋମିଟର ସ୍ଥାନ ମାଡ଼ି ବସିଛି: ବିଜେପି ସାଂସଦ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାଂସଦ ତପିର ଗାଓ ମଙ୍ଗଳବାର କହିିଛନ୍ତି କି ଭାରତର ପ୍ରାୟ ୫୦ରୁ ୬୦ କିଲୋମିଟର ଜାଗା ଚୀନ ମାଡ଼ି ବସିଛି। ସେ ଆହୁରି ବି ‌କହିଛନ୍ତି ଯେ ଏହାକୁ ନେଇ ଯଦି ଭାରତ ଓ ଚୀନ ସେନା ଭିତରେ ଡୋକଲାମ ଭଳି ମୁହାଁମୁହିଁ ହୁଏ ତେବେ ଅରୁଣାଚଳ ପ୍ରଦେଶରେ ହିଁ ଏପରି ହେବ। କାରଣ ଚୀନ ଏହାକୁ ନିଜ ଅଂଚଳ ବୋଲି ଦାବି କରିବା ଆରମ୍ଭ କରିଛି। ଏଥିଲାଗି ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୀମ‌ାଗସ୍ତକୁ ବିରୋଧ କରିଥିଲା।

ଲୋକସଭାର ଶୂନ୍ୟକାଳରେ ଏହି ପ୍ରସଂଗରେ ନିଜର ମତ ରଖି ଅରୁଣାଚଳ ପ୍ରଦେଶର ଏହି ସାଂସଦ ଗାଓ କହିଛନ୍ତି କି ‘ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜଶୱନ୍ତସିଂ ଅରୁଣାଚଳପ୍ରଦେଶର ଯେଉଁ ସ୍ଥାନରେ ଏକଦା ସେନାରେ କ୍ୟାପଟେନ୍ ଥିବା ବେଳେ ଯେଉଁଠାରେ ମୁତୟନ ହୋଇଥିଲେ ,ସେହି ସ୍ଥାନ ଏବେ ଭାରତରେ ନାହିଁ। ଆମ ଦେଶରୁ ବହୁତ ବଡ଼ ଅଂଚଳ ଚୀନ ମାଡ଼ି ବସିଛି। ଭବିଷ୍ୟତରେ ଡୋକଲାମ ପରି ବିବାଦ ଠିଆ ହେବ।’ ଭାରତ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଡୋକଲାମଠାରେ ଭାରତ ଓ ଚୀନ ଭିତରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ୭୩ ଦିନ ପର୍ଯ୍ୟନ୍ତ ଦୁଇ ପକ୍ଷର ସୈନିକ ମୁହାଁମୁହିଁ ‌ହୋଇ ଜଗି ରହିଥିଲେ।

ସମ୍ବନ୍ଧିତ ଖବର