ପୁଣି ଉତ୍ତେଜନା ବଢ଼ାଇଲା ଚୀନ୍‌, ଲଦାଖ୍‌ ସୀମାରେ ସମରାଭ୍ୟାସ

ଭାରୀ ଯୁଦ୍ଧାସ୍ତ୍ର ମୁତୟନ ବଢ଼ାଇଲା

ବେଂଜି: ଲଦାଖ୍‌ ସୀମାରେ ଜାରି ଉତ୍ତେଜନା ହ୍ରାସ ପାଇଁ ଗତକାଲି ଭାରତ-ଚୀନ୍‌ କମାଣ୍ଡର ଜେନେରାଲସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଚୀନ୍‌ ପୁଣି ତା’ର ଚାଲ୍‌ ବଦଳାଇ ଅଚାନକ ସୀମାରେ ସମରାଭ୍ୟାସ ଆରମ୍ଭ କରିଦେଇଛି। ଲଦାଖ୍‌ ସୀମାରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ଚୀନ୍‌ ସୈନିକଙ୍କୁ ଯୁଦ୍ଧାଭ୍ୟାସ କରୁଥିବା ଦେଖିବାକୁ ମିଳିଛି ଏବଂ ଚୀନ୍‌ ଭାରୀ ଯୁଦ୍ଧାସ୍ତ୍ର ମୁତୟନ ମଧ୍ୟ ବଢ଼ାଇ ଦେଇଛି। ଗୋଟିଏ ପଟେ ଚୀନ୍‌ ଶାନ୍ତି ବଜାୟ ରଖିବାକୁ ସାମରିକ ଓ କୂଟନୈତିକ ଆଲୋଚନା ଜରୁରୀ ବୋଲି କହୁଥିବା ବେଳେ ଅନ୍ୟପଟେ ସୀମାରେ ଉତ୍ତେଜନା ଜାରି ରଖିବାକୁ ଯୋଜନାବଦ୍ଧ ପ୍ରୟାସ କରୁଛି। ହୁୱେଇ ପ୍ରଦେଶରେ ଚୀନ୍‌ ଏବଂ ଭାରତ ସୀମାରେ ଉତ୍ତର ପଶ୍ଚିମ କ୍ଷେତ୍ରରେ ହଜାର ହଜାର ଚୀନ୍‌ ସୈନିକ ଯୁଦ୍ଧାଭ୍ୟାସ ଆରମ୍ଭ କରିଛନ୍ତି ଏବଂ ଦୁଇ ଦିନ ମଧ୍ୟରେ ଅନେକ ଟ୍ୟାଙ୍କ ଓ ତୋପ ସୀମାରେ ଚୀନ୍‌ ଠୁଳ କରିଛି।

ଚୀନ୍‌ ଗତ ୧ ତାରିଖ ଦିନ ତିବ୍ବତର ୪୭୦୦ ମିଟର ଉଚ୍ଚ ସ୍ଥାନରେ ଚୀନ୍‌ ସମରାଭ୍ୟାସ କରିଥିଲା ଏବଂ କଠିନ ପରିସ୍ଥିତି ଭିତରେ ଯୁଦ୍ଧ କ୍ଷମତାର ପରୀକ୍ଷଣ କରିଥିଲା। ଚୀନ୍‌ ରାତ୍ରୀ ସମୟରେ ମଧ୍ୟ ଯୁଦ୍ଧ ଅଭ୍ୟାସ କରୁଛି ଏବଂ ସୈନିକମାନେ ନାଇଟ୍‌ ଭିଜନ ଉପକରଣ ବ୍ୟବହାର କରି ଏଥିରେ ସାମିଲ ହୋଇଛନ୍ତି। ଚୀନ୍‌ର ଅନେକ ସ୍ନାଇପର ୟୁନିଟ୍‌ ଏହି ଅଭ୍ୟାସରେ ସାମିଲ ଥିବାରୁ ସୀମାରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚୀନ୍‌ କୌଣସି ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଚୀନ୍‌ ସହିତ ଭାରତ ଏବେ ଉଭୟ ସାମରିକ ଓ କୂଟନୈତିକ ଆଲୋଚନା ଜାରି ରଖିଥିବା ବେଳେ ଅଚାନକ ଚୀନ୍‌ର ଆଭିମୁଖ୍ୟରେ ଏଭଳି ପରିବର୍ତ୍ତନ ଭାରତକୁ ବଧ୍ୟ ତା’ର ରଣନୀତି ବଦଳାଇବାକୁ ବାଧ୍ୟ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର