ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଠୁଳ କରିଛି ଚୀନ : ରାଜନାଥ ସିଂ

ନୂଆଦିଲ୍ଲୀ : ଚୀନ ପକ୍ଷରୁ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟ ଠୁଳ କରାଯାଇଥିବା ସ୍ବୀକାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତେବେ ଏହି ସୈନ୍ୟ  ଠୁଳ କରିବାର ଅଭିପ୍ରାୟ ସଂପର୍କରେ ପ୍ରକାଶ କରିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି ।

ଏକ ଗଣମାଧ୍ୟମକୁ ସେ କହିଛନ୍ତି ଯେ କୂଟନୈତିକ ସ୍ତରରେ ଓ ମିଲିଟାରୀ ସ୍ତରରେ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ହୋଇପାରିବ । ଆସନ୍ତା ୬ ତାରିଥରେ ଦୁଇଦେଶ ମଧ୍ୟରେ ମିଲିଟାରୀ ସ୍ତରରେ ଏକ ବୈଠକ ହେବାର ଯୋଜନା ଥିବା ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାୱାଣେ ତାଙ୍କୁ ସୂଚୀତ କରିଛନ୍ତି । ଏହି ବୈଠକରେ ବିବାଦର ଆପୋସ ସମାଧାନ ହୋଇଯିବ ବୋଲି ବୋଲି ରାଜନାଥ ଆଶା ପ୍ରକାଶ କରିଛନ୍ତି ।

୨୦୧୭ରୁ ଡୋକଲାମ ବିବାଦକୁ ଉଦ୍ଧାର କରି ସେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଦୁଇଦେଶ ମଧ୍ୟରେ ବିବାଦ ହୋଇଛି ଓ ଏହାକୁ ଆପୋସ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ କରାଯାଇଛି । ତେବେ କେଉଁ କାରଣରୁ ଚୀନ ଏତେ ସଂଖ୍ୟକ ସୈନ୍ୟ ଠୁଳ କରିଛି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ ଏବେ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବାରୁ ଏ ସଂପର୍କରେ କୌଣସି ମତାମତ ଦେବା ଠିକ ହେବ ନାହିଁ । ଯଦି ଆଲୋଚନା ଚାଲିନଥାନ୍ତା ତେବେ ଚୀନର ଅଭିପ୍ରାୟ ସମ୍ପର୍କରେ ସେ କହିଥାନ୍ତେ।  ଚୀନ ପକ୍ଷରୁ ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରାଯିବ ବୋଲି କୁହାଯାଇଛି ବୋଲି ରାଜନାଥ କହିଛନ୍ତି ।

ସମ୍ବନ୍ଧିତ ଖବର