ନୂଆଦିଲ୍ଲୀ: ଚୀନ୍‌ ଭାରତ ସହ ବ୍ରହ୍ମପୁତ୍ର ନଦୀ ଜଳ ତଥ୍ୟ ବିନିମୟ ଆରମ୍ଭ କରିଛି। ବିଶେଷକରି ବର୍ଷା ଋତୁରେ ବ୍ରହ୍ମପୁତ୍ର ନଦୀରେ କେତେ ମାତ୍ରାରେ ଜଳ ପ୍ରବାହିତ ହୋଇଥାଏ ଏବଂ ବନ୍ୟା ମୁକାବିଲା ନେଇ ଏହି ହାଇଡ୍ରୋଲୋଜିକାଲ୍‌ ଡାଟା ଉଭୟ ଦେଶ ପାଇଁ ସହାୟକ ହେବ। ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଥିବା ଚୀନ୍‌ର ତିନୋଟି ହା‌ଇଡ୍ରୋଲୋଜିକାଲ ଷ୍ଟେସନ ଯଥା- ନୁଗେସା, ୟାଙ୍ଗ୍‌କୁନ୍‌ ଏବଂ ନୁକ୍‌ସିଆ ମାଧ୍ୟମରେ ଚୀନ୍‌ ଭାରତ ସହ ଜଳ ତଥ୍ୟର ବିନିମୟ ଆରମ୍ଭ କରିଛି। ବ୍ରହ୍ମପୁତ୍ର ନଦୀ ଚୀନ୍‌ରେ ୟାର୍ଲୁଂ ସ୍ୟାଙ୍ଗ୍‌ପୋ ନାମରେ ପରିଚିତ। ୟାର୍ଲୁଂ ସ୍ୟାଙ୍ଗ୍‌ପୋ ନଦୀରେ ପ୍ରବାହିତ ଜଳର ପରିମାଣ ତଥ୍ୟ ଭାରତକୁ ଜଣାଇବାକୁ ଚୀନ୍‌ ଆଗ୍ରହୀ ବୋଲି ଚୀନ୍‌ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

ସେହିଭଳି ସତ୍‌ଲେଜ ନଦୀ ଚୀନ୍‌ରେ ଲ୍ୟାଙ୍ଗ୍‌କ୍ବିନ ଜାଙ୍ଗ୍‌ବୋଦ ନାମରେ ପରିଚିତ ଏବଂ ଏହି ନଦୀର ଜଳ ତଥ୍ୟ ମଧ୍ୟ ଚୀନ୍‌ ଭାରତକୁ ପ୍ରଦାନ କରିବ। ନିକଟରେ ଲାଇନ୍‌ ଅଫ୍‌ ‌ଆକ୍‌ଚୁଆଲ କଣ୍ଟ୍ରୋଲରେ ଚୀନ୍‌ ଓ ଭାରତ ମୁହାଁମୁହିଁ ହେବାପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ତେବେ ସୀମାରେ ପରିସ୍ଥିତି ଅଶାନ୍ତ ଥିବାବେଳେ ଚୀନ୍‌ ବ୍ରହ୍ମପୁତ୍ର ଓ ସତ୍‌ଲେଜ ନଦୀ ଜଳ ତଥ୍ୟ ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି। ଚଳିତ ମାସ ୫ ତାରିଖରେ ପୂର୍ବ ଲଦାଖ ସୀମାରେ ଏବଂ ଏହାର ଚାରି ଦିନ ପରେ ଉତ୍ତର ସିକିମ୍‌ର ନାକୁ ଲା ପାସ୍‌ରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ସୂଚନାଯୋଗ୍ୟ, ଗତ ୨୦୧୭ରୁ ଚୀନ୍‌ ଭାରତ ସହ ବ୍ରହ୍ମପୁତ୍ର ଓ ସତ୍‌ଲେଜ ନଦୀର ହାଇଡ୍ରୋଲୋଜିକାଲ ଡାଟା ବିନିମୟ କରିବା ବନ୍ଦ କରିଦେଇଥିଲା। ଏହା ଫଳରେ ପ୍ରତିବର୍ଷ ବର୍ଷା ଋତୁରେ ବନ୍ୟାରେ ଭାରତର ବ୍ୟାପକ କ୍ଷୟକ୍ଷତି ଘଟୁଥିଲା। ଗତ ୨୦୧୮ରେ ବର୍ଷା ଋତୁରେ ଡୋକ୍‌ଲାମ ସୀମା ବିବାଦ ଫଳରେ ପୁନର୍ବାର ହାଇଡ୍ରୋଲୋଜିକାଲ ଡାଟା ବିନିମୟ ବନ୍ଦ ହୋଇଥିଲା। ଡୋକ୍‌ଲାମ ସୀମା ବିବାଦ ପରେ ବ୍ରହ୍ମପୁତ୍ର ନଦୀର ଜଳ ତଥ୍ୟ ବିନିମୟ କରିବାକୁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା।