ହଂକଂ ପ୍ରସଙ୍ଗରେ ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ଧମକାଇଲା ଚୀନ

ବେଜିଂ: ହଂକଂରେ ଚୀନ୍ ପକ୍ଷରୁ ଜାତୀୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯାଇଛି। ହଂକଂରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଲାଗି ଚୀନ ଏହି ଆଇନ ଲାଗୁ କରିଛି। ତେବେ ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ୍ ଏହି ପ୍ରସଙ୍ଗରେ ମୁହଁ ‌ଖୋଲିବା ସହିତ ହଂକଂବାସୀଙ୍କ ସପକ୍ଷରେ ବାହାରିଛନ୍ତି। କିନ୍ତୁ ଏହି ଦେଶଗୁଡ଼ିକୁ ଚୀନ୍ ଧମକାଇବା ଆରମ୍ଭ କରିଛି। ଯଦି ଏହି ଦେଶମାନେ ହଂକଂରେ କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ତା’ହେଲେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦେଶୀ ଚାପ କଦାପି କାମ କରିବ ନାହିଁ ବୋଲି ଚୀନ୍ କହିଛି। ହଂକଂର ସ୍ବାୟତ୍ତତାକୁ ଉଲ୍ଲଂଘନ କରୁଥିବା ସଂସ୍ଥା ଗୁଡ଼ିକ ବିରୋଧରେ ଆମେରିକା କଟକଣା ଜାରି କରିବ ବୋଲି କହିଛି। ଆମେରିକାର ପ୍ରତିନିଧି ସଭାରେ ପ୍ରଥମେ ଏହି ବିଲ୍ ଗୃହୀତ ହେବା ପରେ ସିନେଟ୍‌ରେ ଗତ ଗୁରୁବାର ଏହା ଗୃହୀତ ହୋଇଛି। ଉକ୍ତ ବିଲ୍‌କୁ ଏବେ ଟ୍ରମ୍ପଙ୍କ ମୋହର କିମ୍ବା ଭେଟୋ କ୍ଷମତା ପ୍ରୟୋଗ ପାଇ ପଠାଯିବ। ଆମେରିକା ସଂସଦରେ ସର୍ବସମ୍ମତକ୍ରମେ ଗୃହୀତ ହୋଇଥିବା ବିଲ୍‌କୁ ଚୀନ ଦୃଢ଼ ଭାବେ ନିନ୍ଦା କରୁଛି ବୋଲି ଏହି ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜାନ୍ କହିଛନ୍ତି।

ଚୀନ ପକ୍ଷରୁ ହଂକଂରେ ଯେଉଁ ଆଇନ କାର୍ଯ୍ୟକାରୀ କରାଯାଇଛି ତାହାକୁ ପ୍ରତିହତ କରିବା ପାଇଁ ଆମେରିକା କରୁଥିବା ଉଦ୍ୟମ ବିଫଳ ହେବ ବୋଲି ଝାଓ କହିଛନ୍ତି। ହଂକଂ ବ୍ୟାପାରରେ ହସ୍ତକ୍ଷେପରୁ ଆମେରିକା ବିରତ ନରହିଲେ ଆମେ ଜବାବୀ କାର୍ଯ୍ୟାନୁଷ୍ଠାନ ନେବୁ ଏବଂ ଏହାର ପରିଣାମ ଆମେରିକା ଭୋଗିବ ବୋଲି ସେ କହିଛନ୍ତି। ସେହିଭଳି ବ୍ରିଟେନ୍ କହିଛି, ହଂକଂରେ ବ୍ରିଟିସ ନ୍ୟାସନାଲ (ଓଭରସିଜ୍‌) ପାସପୋର୍ଟଧାରୀମାନଙ୍କୁ ନାଗରିକତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ହଂକଂରେ ପାଖାପାଖି ୩,୫୦,୦୦୦ ବ୍ୟକ୍ତିଙ୍କ ନିକଟରେ ବିଏନ୍‌ଓ ପାସ୍‌ପୋର୍ଟ ରହିଛି ଏବଂ ଏଥିସହିତ ହଂକଂର ୭.୫ ନିୟୁତ ଲୋକଙ୍କ ମଧ୍ୟରୁ ଆଉ ୨.୫ ନିୟୁତ ଲୋକ ଏହି ପା‌ସ‌ପୋର୍ଟ ପାଇବା ପାଇଁ ଯୋଗ୍ୟ। ତେବେ ବ୍ରିଟେନର ଏଭଳି ମନ୍ତବ୍ୟକୁ ଚୀନ୍ ପ୍ରବକ୍ତା ତୀବ୍ର ସମାଲୋଚନା କରିଛନ୍ତି। ବିଏନ୍‌ଓ ପାସପୋର୍ଟଧାରୀମାନେ ଚୀନର ନାଗରିକ। ତେଣୁ କୌଣସି ପଦକ୍ଷେପ ଗ୍ରହଣ କରିଲେ ବ୍ରିଟେନ ଏହାର ପରିଣାମ ଭୋଗିବ ବୋଲି ଝାଓ ଚେତାଇ ଦେଇଛନ୍ତି।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍ କହିଛନ୍ତି, ତାଙ୍କ ଦେଶର କ୍ୟାବିନେଟ୍ ହଂକଂର ନାଗରିକମାନଙ୍କୁ ନିରାପଦ ଆଶ୍ରୟ ଦେବା ପାଇଁ ସକ୍ରିୟତାର ବିଚାର କରୁଛି। ତେବେ ଏହା ଉପରେ ଚୀନ ପ୍ରତିପ୍ରିୟା ପ୍ରକାଶ କରି ଏଭଳି ଭୁଲ ପଦକ୍ଷେପ ନନେବା ଲାଗି ଅଷ୍ଟ୍ରେଲିଆକୁ କହିଛି। ହଂକଂ ନାଗରିକମାନଙ୍କୁ ଦେଶରେ ରଖିବା ନେଇ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ ବୋଲି ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ କହିଛନ୍ତି। ବିଶ୍ବର ଯେକୌଣସି ଦେଶର ନାଗରିକଙ୍କୁ ଶରଣ ଦେବା ଲାଗି ଜର୍ମାନୀର ଦ୍ବାର ଖୋଲା ଅଛି ବୋଲି ମ‌ର୍କେଲ କହିଛନ୍ତି।

ସମ୍ବନ୍ଧିତ ଖବର