କୋଭିଡ-୧୯ ସଂକ୍ରମଣ ପାଇଁ ଚୀନ୍‌କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ: ଟ୍ରମ୍ପ୍‌

ୱାସିଂଟନ: ଚୀନ୍‌ର ଉହାନରୁ ସଂକ୍ରମିତ ହୋଇଥିବା କୋଭିଡ-୧୯ ଆଜି ସମଗ୍ର ବିଶ୍ବକୁ ବ୍ୟାପିଯାଇଛି। କୋଭିଡ-୧୯ ସଂକ୍ରମଣ କରିବାରେ ଚୀନ୍‌ର ହାତ ରହିଛି। ଚୀନ୍‌ ଇଛା କରିଥିଲେ ଏହି ସଂକ୍ରମଣକୁ ରୋକି ପାରିଥାନ୍ତା। ମାତ୍ର ଚୀନ୍‌ ଜାଣିଶୁଣି ଏହି ଭାଇରସ୍‌କୁ ସମଗ୍ର ବିଶ୍ବରେ ସଂକ୍ରମଣ କରି ବିଶ୍ବ ଅର୍ଥନୀତିକୁ ଦୋହଲାଇ ଦେଇଛି। ଏଭଳି କୃତକର୍ମ ପାଇଁ ଚୀନ୍‌କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ-୧୯ ଯୋଗୁଁ ଜର୍ମାନୀର ଅର୍ଥନୀତିରେ ଯେଉଁ ବିପୁଳ କ୍ଷତି ଘଟିଛି, ତାହାର ଭରଣା ପାଇଁ ଜର୍ମାନୀ ଚୀନ୍‌କୁ ୧୬,୫୦୦ କୋଟି ଡଲାର କ୍ଷତିପୂରଣ ମାଗିଛି। ଆମେରିକା ବି ଚୀନ୍‌କୁ ଉଚିତ୍‌ ଶାସ୍ତି ଦେବାକୁ ଚିନ୍ତା କରୁଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। ଜର୍ମାନୀ ଭଳି ଆମେରିକା ଚୀନ୍‌ ଉପରେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦାବି କରି ନଥିଲେ ମଧ୍ୟ ଚୀନ୍‌ଠାରୁ ଦୃଷ୍ଟାନ୍ତମୂଳକ କ୍ଷତିପୂରଣ ଆଦାୟ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜର୍ମାନୀର ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ସୂଚନାଯୋଗ୍ୟ, କୋଭିଡ-୧୯ ଯୋଗୁଁ ଆମେରିକାରେ ୫୭,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଅର୍ଥନୀତି ଭୁଶୁଡି ପଡିଛି। କୋଟି କୋଟି ସଂଖ୍ୟାରେ ବେକାରୀ ସୃଷ୍ଟି ହୋଇଛନ୍ତି। ଆମେରିକାର ଏଭଳି ପରିସ୍ଥିତି ପାଇଁ ଚୀନ୍‌ ଦାୟୀ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ କହିବା ସହ ଚୀନ୍‌କୁ ଉଚିତ୍‌ ଶାସ୍ତି ମିଳିବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର