ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ଯେପରି ପୁନଶ୍ଚ କ୍ଷମତାକୁ ଫେରି ନ ପାରିବେ ସେଥିପାଇଁ ଏକ ମନସ୍ତାତ୍ତ୍ବିକ ଯୁଦ୍ଧ (ସାଇକୋଲୋଜିକାଲ ଅପରେସନ) ଚଳାଇଛି ଚୀନ୍। କାରଣ ମୋଦୀ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ଗଲୱାନ ସଂଘର୍ଷ ପରେ ଚୀନ୍ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। ୧୯୪୭ ପରେ କୌଣସି ସରକାର ସୀମାରେ ଭିତ୍ତିଭୂମି ନିର୍ମାଣରେ ଏତେ ଟଙ୍କା ଖର୍ଚ୍ଚ କରି ନ ଥିଲେ, ଯାହା ଗତ ୯ ବର୍ଷ ଭିତରେ ମୋଦୀ ସରକାର କରିଛନ୍ତି। ଅରୁଣାଚଳପ୍ରଦେଶ, ଲେହ ଓ ଅନ୍ୟ ଅଞ୍ଚଳରେ ବିଆର୍ଓ ଦ୍ବାରା ବ୍ୟାପକ ରାସ୍ତାଘାଟ ନିର୍ମାଣ କରାଯାଇଛି। ପଶ୍ଚିମବଙ୍ଗର ପାନଗଡ଼ରେ ସପ୍ତଦଶ କର୍ପସ ସ୍ଥାପନ କରିବା ମଧ୍ୟ ଥିଲା ମୋଦୀଙ୍କ ଚିନ୍ତାଧାରା। ଅରୁଣାଚଳପ୍ରଦେଶ ଓ ଅନ୍ୟ ଅଞ୍ଚଳରେ ହେଲିପ୍ୟାଡ୍, ଟ୍ରାଞ୍ଜିଟ୍ ଷ୍ଟେସନ ଆଦି ଅନେକ ଲଜିଷ୍ଟିକ୍ ସୁବିଧାର ବିକାଶ କରାଯାଇଛି। ଏଭଳି ସ୍ଥିତିରେ ଚୀନ୍ ତା’ର ରଣନୀତିରେ ପରିବର୍ତ୍ତନ ଆଣି କେବଳ ଭାରତକୁ ଚାପରେ ରଖିବା ପାଇଁ ଯୋଜନା କରୁଛି ଏବଂ ଏଥିପାଇଁ ଉଭୟ ଦେଶର କମାଣ୍ଡରସ୍ତରୀୟ ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହିଁ। ସୀମା ପାଟ୍ରୋଲିଂକୁ ନେଇ ଭାରତର ନୀତି ସ୍ପଷ୍ଟ ଥିଲେ ମଧ୍ୟ ଚୀନ୍ ବିଭିନ୍ନ ଆଳ ଦେଖାଇ ପାଟ୍ରୋଲିଂ ନୀତିରେ ନିଜର ଏକଚାଟିଆ କାରବାର ଜାରି ରଖିବାକୁ ଚାହୁଛି। ତେବେ ଭାରତୀୟ ସେନା ଚୀନ୍ର ପ୍ରତ୍ୟେକଟି ଚାଲ୍କୁ ବିଫଳ କରିବା ସହ ସୀମାରେ ସୁରକ୍ଷା ସ୍ଥିତି ସୁଦୃଢ଼ କରିଛି।
ଗଲୱାନ ସଂଘର୍ଷରୁ ଶିକ୍ଷା ଲାଭ କରି ସୀମା ପାଟ୍ରୋଲିଂରେ ବହୁତ ବଡ଼ ସଂସ୍କାର ଅଣାଯାଇଛି। ଚୀନ୍ର ଯେ କୌଣସି ଅତିକ୍ରମଣକୁ ତତ୍କାଳ ପଣ୍ଡ କରିଦେବା ପାଇଁ ବାୟୁସେନା ମଧ୍ୟ ଅହରହ ସତର୍କ ରହିଛି। ଫ୍ରାନ୍ସ ପରି ଚୀନ୍ର ରଣନୈତିକ ଅଂଶୀଦାର ଦେଶକୁ ଭାରତ ହାତରେ ରଖିଛି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଭାରତ ଫ୍ରାନ୍ସରୁ ରାଫେଲ ଯୁଦ୍ଧ ବିମାନ କିଣିଛି ଏବଂ ଦୁଇ ଦେଶ ଭିତରେ ରଣନୈତିକ ମିତ୍ରତା ବୃଦ୍ଧି ପାଇଛି। ରୁଷ୍ ସହିତ ଚୀନ୍ର ଘନିଷ୍ଠତା ଥିଲେ ମଧ୍ୟ ଭାରତ ମସ୍କୋ ସହ ନିଜର ପୁରୁଣା ସମ୍ପର୍କକୁ ବଜାୟ ରଖିଛି। ଭାରତର ସଫଳ କୂଟନୀତିକୁ ମୁକାବିଲା କରିନପାରି ଚୀନ୍ ଏବେ ମନସ୍ତାତ୍ତ୍ବିକ ଯୁଦ୍ଧ ଚଳାଇ ଯେନତେନ ପ୍ରକାରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରୁଛି। ପାକ୍ ଅଧିକୃତ କାଶ୍ମୀରରେ ଚୀନ୍ ବିପୁଳ ପୁଂଜି ନିବେଶ କରୁଥିବା ବେଳେ ନେପାଳ ଓ ବାଂଲାଦେଶକୁ ଅଧିକ ଆର୍ଥିକ ସହାୟତା ଦେଉଛି।
ସୂଚନାଯୋଗ୍ୟ, ଚୀନ୍ ସହ ଭାରତର ବ୍ୟବସାୟିକ କଟକଣା, ଟେକ୍ନୋଲୋଜିକୁ ନିଷିଦ୍ଧ କରିବା ଏବଂ ଚୀନା କମ୍ପାନିଗୁଡ଼ିକର ନିବେଶକୁ ବାରଣ କରିବା ବେଜିଂକୁ ବହୁତ ବାଧୁଛି। କୋଭିଡ୍ ସମୟରେ ଚୀନ୍ର ବିମାନଗୁଡ଼ିକ ଉପରେ ଭାରତ କଟକଣା ଲଗାଇଥିଲା। ଜନୈକ ସରକାରୀ ଅଧିକାରୀ କହିଛନ୍ତି, ଆଗରୁ ଆମେ ଚୀନ୍କୁ ବିପଦ ମଣୁଥିଲୁ କିନ୍ତୁ ଚୀନ୍ ଓ ପାକିସ୍ତାନର ମୁକାବିଲା ପାଇଁ ନୂଆ ରଣନୀତିରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ସୀମା ଭିତ୍ତିଭୂମିରେ ବିକାଶ ଏବଂ ଥିଏଟର କମାଣ୍ଡ ଆଗକୁ ଖେଳ ସଂପୂର୍ଣ୍ଣ ବଦଳାଇଦେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/54f65h465hfhfhfhfhs.jpg)