ବେଜିଂ : ଚଳିତ ସପ୍ତାହରେ ଚୀନ୍ ଭାରତ ମହାସାଗରୀୟ ଅଞ୍ଚଳର ୧୯ଟି ଦେଶକୁ ନେଇ ଏକ ବୈଠକ କରିଥିଲା। କିନ୍ତୁ ଏଥିରେ ଭାରତ ଯୋଗ ଦେଇ ନ ଥିଲା। ଗତବର୍ଷ ମଧ୍ୟ କୋଭିଡ୍-୧୯ ସହଯୋଗ ଉପରେ ଆଲୋଚନା ନିମନ୍ତେ ଚୀନ୍ ଦକ୍ଷିଣ ଏସୀୟ ଦେଶମାନଙ୍କୁ ନେଇ ଏକ ବୈଠକ କରିଥିଲା, ଯେଉଁଥିରେ ଭାରତ ଅନୁପସ୍ଥିତ ଥିଲା।

Advertisment

ସୂଚନାଯୋଗ୍ୟ, ଚୀନ୍‌ ବିଦେଶ ମନ୍ତ୍ରଣାଳୟ ସହ ସଂପୃକ୍ତ ଚୀନ୍ ଅନ୍ତର୍ଜାତୀୟ ବିକାଶ ସହଯୋଗ ସଂସ୍ଥା (ସିଆଇଡିସିଏ) ପକ୍ଷରୁ ନଭେମ୍ବର ୨୧ରେ ‘ଚାଇନା-ଇଣ୍ଡିଆନ ଓସେନ୍‌ ରିଜନ୍‌ ଫୋରମ୍‌ ଅନ୍‌ ଡେଭ୍‌ଲପମେଣ୍ଟ କୋପରେସନ୍‌’ର ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ୧୯ଟି ଦେଶ ଯୋଗ ଦେଇଥିଲେ। ୟୁନାନ୍‌ ପ୍ରଦେଶର କୁନ୍‌ମିଙ୍ଗଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ‘ଅଂଶୀଦାରୀ ବିକାଶ: ସାମୁଦ୍ରିକ ଅର୍ଥନୀତି ପରିପ୍ରେକ୍ଷୀରେ ତତ୍ତ୍ବ ଓ ପ୍ରୟୋଗ’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ପାକିସ୍ତାନ, ଇନ୍ଦୋନେସିଆ, ମ୍ୟାନ୍‌ମାର, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ବୀପ, ନେପାଳ, ଆଫଗାନିସ୍ତାନ, ଇରାନ, ଓମନ, ଦକ୍ଷିଣ ଆଫ୍ରିକା, କେନିଆ, ମୋଜାମ୍ବିକ୍, ତାଞ୍ଜାନିଆ, ସେସେଲ୍‌ସ, ମାଡ଼ାଗାସ୍କର, ମରିସସ, ଜିବୋଟି, ଅଷ୍ଟ୍ରେଲିଆ ଏବଂ ତିନୋଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ। ଏଥିରେ ଯୋଗ ଦେବା ପାଇଁ ଭାରତକୁ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡ଼ିଛି।