ଭାରତ ପାଇଁ ସତର୍କ ଘଣ୍ଟି, ତିବ୍ଦତର ଦୁର୍ଗମ ବରଫାବୃତ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରୁଛି

ବେଜିଂ : ଡୋକଲାମ ବିବାଦ ହେବାର ଇତି ମଧ୍ୟରେ ଏକ ବର୍ଷ ବିତିଗଲଣି । ଭାରତ ସହ ଚୀନର ସଂପର୍କରେ ଟିକିଏ ସୁଧାର ଆସିବା ମଧ୍ୟ କୁହାଯାଉଛି । କିନ୍ତୁ ବିବାଦୀୟ ଅଞ୍ଚଳରେ ଚୀନର ସଂଦେହଜନକ କାର୍ଯ୍ୟକଳାପ ଜାରି ରହିଛି । ଭାରତ ସୀମାକୁ ଲାଗିଥିବା ତିବ୍ଦତ ଅଞ୍ଚଳରେ ଚୀନ ନିୟମିତ ଭାବେ ଯୁଦ୍ଧାଭ୍ୟାସ ଜାରି ରଖିଛି । ଏହା ସହିତ ଯୁଦ୍ଧ ହେଲେ କିପରି ବିଭିନ୍ନ ଉପକରଣ ଏଅଂଚଳକୁ ଆସିପାରିବ, ସାଧାରଣ ଲୋକଙ୍କୁ କିପରି ସ୍ଥାନାନ୍ତର କରାଯିବ ତାହା ଉପରେ ମଧ୍ୟ ଅଭ୍ୟାସ କରୁଛି ଚୀନ । ଗତ ମଙ୍ଗଳବାରଦିନ ଚୀନ ସେନା ପିପୁଲ୍ସ ଲିବରେସନ ଆର୍ମି ପକ୍ଷରୁ ତିବ୍ଦତରେ ଏକ ବଡ଼ ଧରଣର ଅଭ୍ୟାସ କରାଯାଇଛି । ଡୋକଲାମ ପରେ ଏହା ଏହି ଧରଣର ସବୁଠୁ ବଡ଼ ଅଭ୍ୟାସ ବୋଲି କୁହାଯାଉଛି । ହିମାଳୟର ପ୍ରତିକୂଳ ପରିବେଶ ପରିବେଶରେ କିପରି ଯୁଦ୍ଧ କରିହେବ, ସ୍ଥାନୀୟ ଲୋକଙ୍କ ସହାୟତା କିପରି ମିଳିପାରିବ ସେ ନେଇ ଚୀନ ଉଦ୍ୟମ କରୁଛି । ଏଥିରୁ ଜଣାପଡୁଛି ଯେ ଚୀନ ଭବିଷ୍ୟତରେ ଭାରତ ସହ ଯୁଦ୍ଧ ସମ୍ଭାବନାକୁ ଅସ୍ୱୀକାର କରୁନାହିଁ । ଗତ ବର୍ଷ ଜୁନରେ ଭୁଟାନର ବିବାଦୀୟ ଅଞ୍ଚଳ ଡୋକଲାମକୁ ନେଇ ଭାରତ ଓ ଚୀନ ସେନା ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ରହିଥିଲେ । ଚୀନ ଡୋକଲାମକୁ ନିଜର ଅଞ୍ଚଳ ବୋଲି କହୁଛି । ଚୀନ ସେନା ଡୋକଲାମ ଅଂଚଳରେ ତମ୍ବୁ ପକାଇ ରହିବା ପରେ ଭୁଟାନର ଅନୁରୋଧ କ୍ରମେ ଭାରତୀୟ ସେନା ତାହାର ବିରୋଧ କରିଥିଲା । କିନ୍ତୁ ଭାରତ ଚୀନ ସୀମାରେ ଅନୁପ୍ରବେଶ କରିଛି ବୋଲି ଚୀନ ଅଭିଯୋଗ କରିଥିଲା ।

ସମ୍ବନ୍ଧିତ ଖବର