ନୂଆଦିଲ୍ଲୀ: ଭାରତ ସୀମାରେ ଚୀନ୍ ସେନା ଲଗାତାର ଉତ୍ତେଜନା ବଢ଼ାଉଛି। ଚୀନ୍ର ଭାରତ ବିରୋଧୀ ଆଭିମୁଖ୍ୟ ଏବଂ ସୀମାରେ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପକୁ ଆଜି ଆମେରିକା କଡ଼ା ସମାଲୋଚନା କରିବା ସହ ଭାରତର ଆଭିମୁଖ୍ୟକୁ ଦୃଢ଼ ସମର୍ଥନ କରିଛି। ଚୀନ୍ ତା'ର ସାମରିକ ଶକ୍ତି ବ୍ୟବହାର କରି ପଡ଼ୋଶୀଙ୍କୁ ଡରାଇ ରଖିବାକୁ ସର୍ବଦା ଷଡ଼୍ଯନ୍ତ୍ର କରିଆସିଛି ଏବଂ ଏଭଳି ଅତିସକ୍ରିୟ ଏବଂ ଚିନ୍ତା ସୃଷ୍ଟିକାରୀ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି ଆମେରିକା କହିଛି। ଚୀନ୍ର ବିସ୍ତାରବାଦୀ ଯୋଜନାକୁ ଜୋର୍ଦାର ବିରୋଧ କରାଯିବା ଆବଶ୍ୟକ ବୋଲି ଆଜି ଆମେରିକା ତା'ର ଆଭିମୁଖ୍ୟ ସ୍ପଷ୍ଟ କରିଥିବାରୁ ଏହା ଭାରତ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି। ଚୀନ୍ ଏବେ ଲଦାଖ୍ ସୀମାରେ ସୈନ୍ୟ ମୁତୟନ ବଢ଼ାଇବା ସହ ଭାରତର ନିୟମିତ ପାଟ୍ରୋଲିଂ ବ୍ୟବସ୍ଥାରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରୁଛି। ଭାରତ ଏହାର କଡ଼ା ବିରୋଧ କରି ଚୀନ୍କୁ ନିଜ ସୀମାରେ ନିୟନ୍ତ୍ରଣ ମଧ୍ୟରେ ରହିବାକୁ ଚେତାଇ ଦେଇଛି।
ଆମେରିକାର ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି, ଚୀନ୍ ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶ ସୀମାରେ ବଳପୂର୍ବକ ଅର୍ଦ୍ଧସାମରିକ କାର୍ଯ୍ୟକଳାପରେ ସଂପୃକ୍ତ ରହିଛି। ଚୀନ୍ ଦକ୍ଷିଣ ତଥା ପୂର୍ବ ଚୀନ୍ ସାଗର ଏବଂ ଭାରତ ସୀମାରେ ଉତ୍ତେଜନା ସୃଷ୍ଟିକାରୀ ସାମରିକ କାର୍ଯ୍ୟକଳାପରେ ସଂପୃକ୍ତ ରହି ଅନ୍ତର୍ଜାତୀୟ ନୀତି ନିୟମକୁ ଉଲ୍ଲଂଘନ କରୁଛି। କେବଳ ନିଜର ସାମରିକ ଶକ୍ତିର ଦୁରୁପଯୋଗ କରି ସ୍ଥିତି ବଦଳାଇବାକୁ ଚୀନ୍ ଯେଉଁ ପ୍ରୟାସ କରୁଛି ତାହାକୁ ଦୃଢ଼ ଭାବେ ବିରୋଧ କରାଯିବା ଜରୁରୀ ବୋଲି ଆମେରିକା କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚୀନ୍ର କାର୍ଯ୍ୟକଳାପ ବିଧ୍ବଂସକାରୀ ବୋଲି କହିଛନ୍ତି।
ହଂକଂ: ହଂକଂରେ ଚୀନ୍ ଜାତୀୟ ନିରାପତ୍ତା ନିୟମ ପ୍ରଣୟନ ପାଇଁ ମସୁଧା ଚଳାଇଛି। ଚୀନ୍ର ସପ୍ତାହବ୍ୟାପୀ ଜାତୀୟ ଜନତା କଂଗ୍ରେସ ଅଧିବେଶନରେ ପ୍ରଧାନମନ୍ତ୍ରୀ ଲି କେକ୍ୟାଙ୍ଗ୍ କହିଛନ୍ତି ଯେ ହଂକଂରେ ଜାତୀୟ ନିରାପତ୍ତାକୁ ସୁରକ୍ଷା ଦେବା ପାଇଁ ଚୀନ୍ ଆଇନଗତ ବ୍ୟବସ୍ଥା ଓ ପ୍ରକିୟା ଲାଗୁ କରିବ। ଏହା ସ୍ପଷ୍ଟ ଯେ ହଂକଂରେ ଗଣତନ୍ତ୍ରବାଦୀ ବିଦ୍ରୋହ ଦିନକୁ ଦିନ ଜୋରଦାର ହେଉଥିବାରୁ ତାହାକୁ ଚପାଇ ଦେବା ପାଇଁ ବେଜିଂ ତତ୍ପର ହେଇପଡ଼ିଛି। ହଂକଂ ଏକଦା ବ୍ରିଟିଶ ସାମ୍ରାଜ୍ୟର ଅଂଶ ଥିଲା ଏବଂ ୧୯୯୭ରେ ତାହା ଚୀନ୍ ନିୟନ୍ତ୍ରଣକୁ ଆସିଥିଲା। ଏହା ଏକ ଅର୍ଧ-ସ୍ୱୟଂଶାାସିତ ଅଞ୍ଚଳ ହୋଇଥିବା ବେଳେ ଏକ ଆର୍ଥନୀତିକ ଶକ୍ତିକେନ୍ଦ୍ର ରୂପେ ବିଶ୍ୱବିଖ୍ୟାତ ଏବଂ ଚୀନ୍ ମୂଳଭୂଖଣ୍ଡର ଅଂଶ ନୁହେଁ। ଗତ ବର୍ଷ ୭ ମାସ ଧରି ସେଠାରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ବ୍ୟାପକ ବିଦ୍ରୋହ ଚାଲିଛି। ମାତ୍ର କମ୍ୟୁନିଷ୍ଟବାଦୀ ଚୀନ୍କୁ ଗଣତନ୍ତ୍ର ଦାବି ଅସହ୍ୟ ହେଉଥିବାରୁ ସେଠାରେ ବିବାଦୀୟ ନିରାପତ୍ତା ନିୟମ ଲାଗୁ କରିବାକୁ ତତ୍ପର ହୋଇପଡ଼ିଛି।