୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

ବେଜିଂ :  କରୋନା ଭୁତାଣୁକୁ ନିର୍ମୂଳ କରିବାରୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ନିକଟରେ କେନ୍ଦ୍ରୀୟ ଚୀନର ହେନାନ ରାଜ୍ୟରେ ଥିବା ୟୁଝୁ ସହରରେ ମାତ୍ର ୩ ଜଣ କରୋନା ଆକ୍ରାନ୍ତ ବାହାରିବାରୁ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି । ପ୍ରାୟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି । ଘରୁ ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।  ସହରର ବସ ଓ ଟାକ୍ସିଗୁଡ଼ିକୁ ବନ୍ଦ କରିଦିଆଯାଇଛି । ଏହା ସହିତ ସପିଂ ମଲ, ପର୍ଯ୍ୟଟନ କେନ୍ଦ୍ର, ମ୍ୟୁଜିୟମ, ରେସ୍ତୋରାଁଗୁଡ଼ିକୁ ବନ୍ଦ କରିଦିଆଯାଇଛି ।

ଅନ୍ୟପକ୍ଷରେ ଚୀନର ସାଂକସି ପ୍ରଦେଶରେ ଥିବା ସିଆନ୍ ସହର ଗତ ପ୍ରାୟ ୨ ସପ୍ତାହ ହେଲା କଠୋର ଲକଡାଉନରେ ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଚୀନା ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକଟ କରିଛନ୍ତି । ଗତ ୧ ମାସ ମଧ୍ୟରେ ସିଆନ ସହରରେ ପ୍ରାୟ ୧୬୦୦ ଟି ମାମଲା ଦେଖାଦେଇଛି ।

ଚୀନରେ ଆଉ କିଛି ମାସ ପରେ ଶୀତକାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହେବାକୁ ଥିବାରୁ ଚୀନ ସରକାର ଶୂନ କୋଭିଡ୍ ନୀତି ଗ୍ରହଣ କରିଛନ୍ତି । କ୍ରୀଡ଼ା  ପୂର୍ବରୁ ଯେପରି ସମଗ୍ର ଚୀନ କରୋନା ମୁକ୍ତ ଥିବ ସେଥିପାଇଁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ସମାଲୋଚନା କରାଯାଉଛି ।

 

ସମ୍ବନ୍ଧିତ ଖବର