ଚୀନର ଗ୍ବାଙ୍ଗଝୋରେ କରୋନା ସଂକ୍ରମଣ, ସମଗ୍ର ସହରରେ କଠୋର ଲକଡାଉନ ଲାଗୁ

ବେଜିଂ : ଚୀନ ସରକାରଙ୍କ ଦାବି ସତ୍ତ୍ବେ ଏହି ଦେଶରୁ ଯେ କରୋନା ଭୁତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି । ଦକ୍ଷିଣ ଚୀନର ଗ୍ବାଙ୍ଗଡଙ୍ଗ ରାଜ୍ୟର ରାଜଧାନୀ ଗ୍ବାଙ୍ଗଝୋ ସହରରେ ପୁଣି କରେନା ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ଲକଡାଉନ ଲାଗୁ କରାଯ଼ାଇଛି । ଏହା ସହିତ ଗତ କିଛି ଦିନ ମଧ୍ୟରେ ସହରର ସମଗ୍ର ୧କୋଟି ୮୦ ଲକ୍ଷ ଜନତାଙ୍କ କରୋନା ପରୀକ୍ଷା କରାଯ଼ାଇଛି । ଏହା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ କ୍ବାରାଣ୍ଟାଇନରେ ରଖାଯ଼ାଇଛି । ଚୀନରେ ବ୍ୟାପୁଥିବା ଏହି କରୋନା ଭୁତାଣୁଟି ଭାରତରେ ବ୍ୟାପୁଥିବା ଡେଲଟା ଭାରିଆଣ୍ଟ ବୋଲି ଚୀନ ପକ୍ଷରୁ କୁହାଯ଼ାଇଛି ।

ସୂଚନାଯୋଗ୍ୟ ଯେ ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ହିଁ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଥିଲା । ଏହାର ମାତ୍ର କିଛି ମାସ ପରେ ଏହା ସମଗ୍ର ବିଶ୍ବର ଅଧିକାଂଶ ଦେଶରେ ପହଞ୍ଚିଯ଼ାଇଥିଲା । ତେବେ ଗତ ବର୍ଷ ହିଁ ଚୀନ କରୋନା ମହାମାରୀ ଉପରେ ବିଜୟ ଲାଭ କରିଥିବା କଥା ଘୋଷଣା କରିଥିଲା । ଏବେ ପୁଣି କରୋନା ସଂକ୍ରମଣ ଦେଖାଯ଼ିବା ପରେ ଚୀନ ସରକାରଙ୍କ ଚିନ୍ତା ବଢିଯ଼ାଇଛି ।

 

ସମ୍ବନ୍ଧିତ ଖବର