ନୂଆଦିଲ୍ଲୀ: ସୀମାରେ ସାମରିକ ଶକ୍ତିରେ ଅହେତୁକ ବୃଦ୍ଧି ଘଟାଇ ଏବେ ଚୀନ୍ ଭାରତ ପାଇଁ ଉଦ୍ବେଗର କାରଣ ପାଲଟିଛି। ୨୦୧୭ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ଲାଗି ରହିଥିବା ଡୋକଲାମ୍ ବିବାଦର ଦୀର୍ଘ ୭୩ ଦିନ ପରେ ସମାଧାନ ହୋଇଥିଲା। ଚୀନ୍ ଏବେ ବିଶ୍ବସ୍ତରରେ ସାମରିକ ଏବଂ ଆର୍ଥିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ପ୍ରୟାସ ଜାରି ରଖିଛି। ଭାରତ ଉପରେ ଚାପ ସୃଷ୍ଟି ପାଇଁ ଏବେ ଚୀନ୍ ପୁଣି ତା’ର ପୁରୁଣା ଚାଲ୍ ଖେଳିବା ଆରମ୍ଭ କରିଦେଇଛି। ବହୁ ବାଦ ବିବାଦ ପରେ ଡୋକଲାମ୍ ବିବାଦର ସମାଧାନ ହୋଇଥିଲେ ସୁଦ୍ଧା ଚୀନ୍ ଗୁପ୍ତଭାବେ ଭାରତ ସୀମା ନିକଟରେ ଏହାର ସାମରିକ ସ୍ଥିତିକୁ ସୁଦୃଢ଼ କରିଚାଲିଛି। ଚୀନ୍ ନିଜର ବାୟୁସେନାକୁ ସୁଦୃଢ଼ କରିବାପାଇଁ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡ଼ିଛି। ଚୀନ୍ର ଦୁଇଟି ବାୟୁସେନା ଘାଟିରେ ଦୁଇଟି ଶକ୍ତିଶାଳୀ ଡିଭାଇନ୍ ଇଗଲ୍ ଜେଟ୍ ୟୁଏଭି ଏବଂ ଏଚ୍-୬କେ ବୋମାବର୍ଷୀ ବିମାନ ମୁତୟନ ହୋଇଛି। ଚୀନ୍ର ପିଏଲଏଏଫ୍ (ପିପୁଲ୍ ଲିବରେସନ୍ ଆର୍ମି ଏୟାର ଫୋର୍ସ୍) ଏହାର ମାଲନ୍ ସେନାଘାଟିରୁ ଡିଭାଇନ୍ ଇଗଲ ଜେଟ୍ ୟୁଏଭିର ପରିଚାଳନା କରୁଥିବାବେଳେ ହପିଙ୍ଗ୍ ବାୟୁସେନାଘାଟିରୁ ଏହା ଏଚ୍-୬କେ ବୋମାବର୍ଷୀ ବିମାନକୁ ନିୟନ୍ତ୍ରଣ କରୁଛି। ଡିଭାଇନ୍ ଇଗଲ୍ ୟୁଏଭି ବିଶ୍ବର ସର୍ବବୃହତ୍ ମାନବରହିତ ଗୁଇନ୍ଦା ବିମାନ ଭାବେ ଜଣାଶୁଣା। ଡିଭାଇନ୍ ଇଗଲ ଜେଟ୍ ୟୁଏଭିର ଲମ୍ବ ୧୫ ମିଟର ଏବଂ ଏହାର ଚଉଡ଼ା ୩୫-୪୫ ମିଟର। ଚୀନ୍ ଦାବି କରୁଛି ଯେ ଏହି ୟୁଏଭିଗୁଡ଼ିକ ଆମେରିକାର ଏଫ୍-୨୨ ଏବଂ ଏଫ୍-୩୫ ଯୁଦ୍ଧ ବିମାନକୁ ଠାବ କରିପାରିବ। ଅନ୍ୟପକ୍ଷେ ଚୀନ୍ର ପିଏଲଏଏଫ୍ର ମହା ଶକ୍ତିଶାଳୀ ଏଚ୍-୬ ବୋମାବର୍ଷୀ ବିମାନର ସର୍ବଶେଷ ସଂସ୍କରଣ ହେଉଛି ଏଚ୍-୬କେ। ଏହା ଏକ ରଣନୀତିକ ବୋମାବର୍ଷୀ ବିମାନ।
ସୂଚନାନୁଯାୟୀ ତିବ୍ବତର ହପିଙ୍ଗ୍ ଏୟାରଫିଲ୍ଡରେ ମୁତୟନ ହୋଇଥିବା ଏହି ଏଚ୍-୬କେ ବୋମାବର୍ଷୀ ବିମାନ ସିକ୍କିମ୍ ସ୍ଥିତ ଭାରତୀୟ ସୀମାଠାରୁ ମାତ୍ର ୨୦୦ କିମି ଦୂରରେ ଅବସ୍ଥିତ। ମାଲନ୍ ବାୟୁସେନା ଘାଟିରେ ମଧ୍ୟ ଚୀନ୍ ଦ୍ବାରା ମୁତୟନ ହୋଇଥିବା ଡିଭାଇନ୍ ଇଗଲ ଜେଟ୍ ୟୁଏଭି ଭାରତୀୟ ସୁରକ୍ଷାବାହିନୀର ଚିନ୍ତା ବଢ଼ାଇଛି। ମାଲନ୍ ଏୟାରଫିଲ୍ଡ ଜିନ୍ଜିଆଙ୍ଗ୍ର ସ୍ବୟଂଶାସିତ ଅଞ୍ଚଳରେ ଅବସ୍ଥିତ। ଭାରତ ଚୀନ୍ ସହ ଉତ୍ତମ ସମ୍ପର୍କ ଚାହୁଥିବା ବେଳେ ଚୀନ୍ ଗୁପ୍ତ ଭାବେ ଏଭଳି କାର୍ଯ୍ୟକଳାପ ଜାରି ରଖିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଭାରତର ସୀମା ନିକଟସ୍ଥ ଅଞ୍ଚଳରେ ଚୀନ୍ ନିଜର ସାମରିକ ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଥିବାରୁ ଭାରତ ମଧ୍ୟ ତା’ର ରଣନୀତି ବଦଳାଇବ ବୋଲି ଜଣାପଡ଼ିଛି। ବିଭିନ୍ନ ଗୁଇନ୍ଦା ସୂ୍ତ୍ରରୁ ଜଣାପଡ଼ିଛି ଯେ ପିଏଲଏ ହପିଙ୍ଗ୍ ଏୟାରଫିଲ୍ଡ ନିକଟରେ ସ୍ଥାୟୀ ହ୍ୟାଙ୍ଗର ନିର୍ମାଣ କରିବାକୁ ଚେଷ୍ଟା କରୁଛି। ସୀମା ଅଞ୍ଚଳରେ ଚୀନ୍ ଅନେକ ନୂଆ ସାମରିକ ଶିବିର ନିର୍ମାଣ କରୁଛି। ଅନ୍ୟପକ୍ଷେ ଅରୁଣାଚଳପ୍ରଦେଶ ଠାରୁ ମାତ୍ର ୯୦୦ କିମି ଦୂରରେ ଚୀନ୍ର ଯୁଜିରେ ଅତ୍ୟନ୍ତ ଗୋପନରେ କ୍ଷେପଣାସ୍ତ୍ର କମାଣ୍ଡ ସେଣ୍ଟର କାମ କରୁଛି।