ସିକିମ୍‌ରେ ଚୀନ୍‌-ଭାରତ ସୈନ୍ୟ ଧସ୍ତାଧସ୍ତି: ଉଭୟ ପକ୍ଷ ସୈନିକ ଆହତ, ଆଲୋଚନା ପରେ ସମାଧାନ

ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ଘଟିଥିବା ଭୟଙ୍କର ସଂଘର୍ଷରେ ଭାରତର ୨୦ ଜଣ ବୀର ଯବାନ ଶହୀଦ ହୋଇଥିଲେ। ସେହି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ପୁଣି ଆଉ ଏକ ସଂଘର୍ଷ ସାମ୍ନାକୁ ଆସିଛି। ଭାରତୀୟ ସୀମା ଭିତରକୁ ଚୀନର ଏକ ପାଟ୍ରୋଲ ଟିମ୍‌ ଅନୁପ୍ରବେଶ କରିବା ସମୟରେ ଭାରତୀୟ ଯବାନମାନେ ଏହାକୁ ବିରୋଧ କରିଥିଲେ। ଫଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏଥିରେ ଉଭୟ ପକ୍ଷର ଯବାନମାନେ ଆହତ ହୋଇଛନ୍ତି। ଲଦାଖ ସୀମାରେ ଦୁଇ ଦେଶର ସୈନିକମାନେ ବହୁସଂଖ୍ୟାରେ ମୁହାଁମୁହିଁ ପରିସ୍ଥିତିରେ ଥିବାବେଳେ ଜାନୁଆରି ୨୦ ତାରିଖରେ ସିକିମ୍‌ର ‘ନାକୁ ଲା’ ଠାରେ ଏଭଳି ଅପ୍ରୀତିକର ପରିସ୍ଥିତି ଘଟିଛି। ତେବେ ‌ଏହା ଏକ ଛୋଟ ଧରଣର ଘଟଣା ଥିଲା। ପ୍ରତିଷ୍ଠିତ ପ୍ରୋଟୋ‌କଲ ଅନୁସାରେ ଦୁଇ ଦେଶର କମାଣ୍ଡରସ୍ତରୀୟ ବୈଠକରେ ଏହାର ଆଲୋଚନା କରାଯାଇ ପରିସ୍ଥିତିକୁ ଶାନ୍ତ କରାଯାଇଥିବା କୁହାଯାଉଛି। ତେବେ ଏକ ସୂତ୍ରରୁ ଜଣାଯାଇଛି, ଚୀନର ପାଟ୍ରୋଲ ଟିମ୍‌କୁ ଘଉଡ଼ାଇବା ବେଳେ ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ ଚୀନର କେତେଜଣ ଯବାନ ଆହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ।

ଭାରତୀୟ ସେନା ପକ୍ଷରୁ ଏ ନେଇ ମଧ୍ୟ ବିବୃତି ରଖାଯାଇଛି। ସେଥିରେ କୁହାଯାଇଛି ସିକିମ ସେକ୍ଟରରେ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ସାମାନ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜାନୁଆରି ୨୦ ତାରିଖରେ ଉତ୍ତର ସିକିମର ନାକୁ ଲା ଠାରେ ଏହି ଘଟଣା ଘଟିଥିଲା। ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ୍‌ ବେଜିଂଠାରେ ଦୈନିକ ବିବୃତି ପ୍ରଦାନ ସମୟରେ ତାଙ୍କ ନିକଟରେ ଏ ନେଇ କୌଣସି ଖବର ନଥିବା କହିଛନ୍ତି। ତେବେ ସୀମାରେ ଚୀନ ସେନା ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ମାମଲାକୁ ଜଟିଳ କରିବା ଭଳି କୌଣସି ପଦକ୍ଷେପ ନନେବାକୁ ଝାଓ ଭାରତକୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ‌ଦୁଇ ଦେଶ ମଧ୍ୟରେ ଗତକାଲି ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ବୈଠକ ଦୀର୍ଘ ୧୫ ଘଣ୍ଟା ଧରି ହୋଇଥିଲା। ଚୁସୁଲ-ମୋଲ୍‌ଡୋ ସୀମାରେ ଚୀନ ପଟେ ହୋଇଥିବା ଏହି ଆଲୋଚନା ସକରାତ୍ମକ, ବାସ୍ତବବାଦୀ ଏବଂ ଗଠନମୂଳକ ରହିଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ସମ୍ମୁଖଭାଗରେ ମୁତୟନ ସୈନିକମାନଙ୍କୁ ପ୍ରତ୍ୟାହାର କରିବା ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଖୁବଶୀଘ୍ର ଦଶମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହେବ ବୋଲି ସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର