ହୁ’ର କୋଭାକ୍ସ ଯୋଜନାରେ ଚୀନ୍‌ ସାମିଲ

ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ବଳବତ୍ତର

ନୂଆଦିଲ୍ଲୀ : ବିଶ୍ବ ବ୍ୟାପୀ ସନ୍ତୁଳିତ ଭାବରେ କୋଭିଡ୍‌ ଟିକା ବିତରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଦ୍ବାରା ପ୍ରସ୍ତାବିତ କୋଭାକ୍ସ ଟିକା ସହଭାଗିତା ଯୋଜନାରେ ଯୋଗଦେବାକୁ ପ୍ରଥମରୁ ଅନିଚ୍ଛା ପ୍ରକାଶ କରିଥିବା ଚୀନ୍‌ ଏବେ ସେଥିରେ ସାମିଲ ହୋଇଥିବା ଜଣାଯାଇଛି। ସମ୍ପ୍ରତି ବିଶ୍ବ ତମାମ ୨୦୦ରୁ ଅଧିକ କୋଭିଡ୍‌ ଟିକା ବିକଶିତ ହୋଇ ବିଭିନ୍ନ ସ୍ତରରେ ପହଞ୍ଚିଥିବା ବେଳେ ବିଶେଷ କରି ୨୯ଟି ଟିକା ହିଁ ନୈଦାନିକ ପରୀକ୍ଷଣ ଜାରି ରଖିଛନ୍ତି। ଆଉ ସେମାନଙ୍କ ମଧ୍ୟରୁ ୯ଟି ଟିକା ହିଁ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚଳାଇଛନ୍ତି ଯେଉଁଗୁଡ଼ିକ ସମ୍ଭବତଃ ଚଳିତବର୍ଷ ଶେଷ ସୁଦ୍ଧା ଅଥବା ଆଗାମୀ ବର୍ଷ ପ୍ରାରମ୍ଭରେ ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍‌ଧ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ଏହି ଚୂଡ଼ାନ୍ତ ଟିକାଗୁଡ଼ିକ ମଧ୍ୟରେ ଚୀନ୍‌ କମ୍ପାନିମାନଙ୍କ ଦ୍ବାରା ପ୍ରସ୍ତୁତ ତିନିଟି ଟିକା ରହିଛି। ସୁତରାଂ କୋଭାକ୍ସ ଯୋଜନାରେ ଚୀନ୍‌ର ଯୋଗଦାନ ହିଁ ସଂପୃକ୍ତ କାର୍ଯ୍ୟକ୍ରମର ସଫଳତା ଦିଗରେ ପଥ ପ୍ରଦର୍ଶକ ହେବ ବୋଲି ହୁ’ ଅନୁଭବ କରୁଛି। ଚୀନ୍‌ ମଧ୍ୟ ସବୁଠୁ ଧନୀ ରାଷ୍ଟ୍ର ଭାବେ ଏହି ଯୋଜନାରେ ସାମିଲ ହୋଇଇଛି ଯିଏ ସଦସ୍ୟ ରାଷ୍ଟ୍ରମାନଙ୍କୁ ୨୦୦ କୋଟି ଟିକା ବିତରଣ କରିବାର ସାମର୍ଥ୍ୟ ରଖିଥିବା କୁହାଯାଉଛି। ସୂଚନା ଥାଉ କି, ହୁ’ର ଏହି କୋଭାକ୍ସ ଯୋଜନାରେ ଚୀନ୍‌ ସମେତ ୭୬ଟି ଦେଶ ଭାଗ ନେଇଥିବା ବେଳେ ଆମେରିକା କି ରୁଷିଆ ସେଥିରେ ଏଯାଏ ଯୋଗଦେଇନାହାନ୍ତି।

ଏହି ଅବସରରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ତଥା ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କୋଭିଡ୍‌ ଟିକାର ନୈଦାନିକ ପରୀକ୍ଷଣ ଭାରତରେ ବଳବତ୍ତର ରହିଛି। ଚଣ୍ଡୀଗଡ଼ର ପୋଷ୍ଟ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ୍‌ ରିସର୍ଚ୍ଚ ଠାରେ ଜାରି ରହିଥିବା ଏହି ପରୀକ୍ଷଣରେ ସାମିଲ ହୋଇଥିବା ୫୩ ଜଣ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ କେହି ଜଣେ ବି ପ୍ରତିକୂଳ ପ୍ରତିକ୍ରିୟା ପ୍ରଦର୍ଶନ କରିନଥିବା ଜଣାଯାଇଛି। ତେବେ ଚୂଡ଼ାନ୍ତ ପରୀକ୍ଷଣର ଅବଧି ପୂରଣ ପରେ ହିଁ ସାମଗ୍ରିକ ଫଳାଫ​ଳକୁ ଭିତ୍ତି କରି ଏହାକୁ ଭାରତରେ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର