ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ଅପସାରଣ କରି ଉତ୍ତେଜନା ହ୍ରାସ ପାଇଁ ଦୁଇଦେଶ ମଧ୍ୟରେ ସହମତି ସତ୍ତ୍ୱେ ଚୀନ ତାହାକୁୁ ଠିକ ଭାବେ ପାଳନ କରୁନାହିଁ । ପୂର୍ବ ଲଦାଖ ସେକ୍ଟରରେ ଏବେ ବି ପ୍ରାୟ ୪୦ ହଜାର ଚୀନ ସୈନ୍ୟ ରହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ପ୍ରକାଶ କରିଛି । ଗତ ୧୪ ତାରିଖରେ ହୋଇଥିବା କମାଣ୍ଡର ସ୍ତରୀୟ ଆଲୋଚନା ପରେ ଚୀନ ସେନା ଆଉ ପଛକୁ ହଟିନାହିଁ ।
ସେନା ସୁତ୍ରରୁ ଉଦ୍ଧାର କରି ଏଏନଆଇ କହିଛି ଯେ ଚୀନ ଦୁଇଦେଶ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସମ୍ମାନ ଜଣାଉନାହିଁ । ବିବାଦୀୟ ଅଂଚଳରୁ ସେନା ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ମଧ୍ୟ ଏବେ ବି ପ୍ରାୟ ୪୦ ହଜାର ସୈନ୍ୟ ରହିଛନ୍ତି । କେବଳ ସେନା ନୁହେଁ, ଅନେକ ଭାରି ଯୁଦ୍ଧାସ୍ତ୍ର ମଧ୍ୟ ସଜାଇଛି ଚୀନ ।
ଏଲଏସି ନିକଟରେ ଥିବା ହଟ ସ୍ପ୍ରିଙ୍ଗ ଓ ଆଉକେତେକ ଅଞ୍ଚଳରେ ଚୀନ ସେନା ନିଜର ୬ଷ୍ଠ ମେକାନାଇଜଡ ଇନଫାଣ୍ଟ୍ରି ଡିଭିଜନକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ଆର୍ଟିଲାରୀ ଗନଗୁଡ଼ିକୁ ସଜାଇ ରଖାଯାଇଛି । ଏଲଏସିର ଗଲଓ୍ଵାନ ଘାଟି, ଜୀବନ ନାଲା, ଚିପ ଚାପ ଘାଟି ନିକଟରେ ଚୀନ ସେନା ନିଜର ୧୭ ଓ ୧୮ ମେକାନାଇଜଡ୍ ଇନଫ୍ରାଣ୍ଟ୍ରି ଡିଭିଜନର ଲଢୁଆ ଯାନଗୁଡ଼ିକୁ ପ୍ରସ୍ତୁତ ରଖିଛି । ଏସବୁ ଅଞ୍ଚଳରେ ବିମାନ ବିଧ୍ୱଂସୀ ତୋପକୁ ମଧ୍ୟ ମୁତୟନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ରହିଛି ।