ସୀମାରେ ଶାନ୍ତି ଓ ସଦ୍‌ଭାବ ପାଇଁ ଏବେ ଚୀନ୍‌ କହୁଛି

ବେଜିଂ: ଭାରତ-ଚୀନ୍‌ ସୀମାରେ ଏବେ ପରିସ୍ଥିତି ନିୟନ୍ତ୍ରାଧୀନ ରହିଛି। ‌ତେବେ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ମୁଖପାତ୍ର ରେଁ ଗୋକିଆଙ୍‌ ଉଭୟ ପକ୍ଷର ସେନାଙ୍କୁ ଅନୁରୋଧ କରିଛନ୍ତି। ଦ୍ବିପାକ୍ଷିକ କଥାବାର୍ତ୍ତା ଜରିଆରେ ଭାରତ ଓ ଚୀନ୍‌ ମଧ୍ୟରେ ଶାନ୍ତି ବଜାୟ ରହିପାରିବ ଏବଂ ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଲୋଡ଼ା ନାହିଁ ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ମୁଖପାତ୍ର ଗୋକିଆଙ୍‌ କହିଛନ୍ତି। ପୂର୍ବ ଲଦାଖ ସୀମାରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହେବା ପରେ ପ୍ରଥମ ଥର ପାଇଁ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ମାନ୍ଦାରିନ୍‌ ଭାଷାରେ ଏଭଳି ଏକ ବିବୃତି ଜାରି କରିଛି।

ଚୀନ୍‌ ସେନା ସୀମାରେ ଶାନ୍ତି ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଗୋକିଆଙ୍‌ କହିଛନ୍ତି। ଚୀନ୍‌ ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛି ବୋଲି ଚୀନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଭାରତ ମଧ୍ୟ ନିଜ ସୀମାରେ ରହି ଶାନ୍ତି ବଜାୟ ରଖିବାକୁ ଉଦ୍ୟମ କରୁଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଭାରତୀୟ ସେନା କାର୍ଯ୍ୟ କରୁଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ସେହିଭଳି ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ମଧ୍ୟ ନୂଆଦିଲ୍ଲୀ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରିଦେଇଛି। ଉଭୟ ଦେଶ ଦ୍ବିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିପାରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର