ନୂଆଦିଲ୍ଲୀ : ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ପାଙ୍ଗଙ୍ଗ ସୋ' ହ୍ରଦର ଦକ୍ଷିଣ ଉପକୂଳରେ ଗତ ଏକ ସପ୍ତାହ ଧରି ଭାରତୀୟ ଯବାନ ଓ ଚୀନ ସୈନିକ ମୁହାଁମୁହିଁ ହୋଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୂରତା ରହିଛି ମାତ୍ର ୨୦୦ ମିଟର। ଏହି ଇଲାକାର ଏକ ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରରୁ ଭାରତୀୟ ସେନାଙ୍କୁ ହଟାଇବା ଲାଗି ଚୀନ ବାରମ୍ବାର ଆକ୍ରମଣ ଉଦ୍ୟମ କରୁଥିବାରୁ ଯେକୌଣସି ମୁହୂର୍ତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ମୁକାବିଲା ଲାଗି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଚୀନ ସେନା ସୀମା ଲଂଘନ କଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଭାରତ ଚେତାବନୀ ଦେଇଛି। ସୀମାରେ କଣ୍ଟାବାଡ଼ ଦିଆଯାଇଛି ଏବଂ ଏହି ରେଡ୍ ଲାଇନ୍କୁ ଅତିକ୍ରମ କରିବା ଲାଗି ଚୀନ ସେନାକୁ କୌଣସି ସୁଯୋଗ ଦିଆଯିବ ନାହିଁ।
ସୂଚନାଯୋଗ୍ୟ ଯେ ଏହି ପର୍ବତ ଶିଖର ଦଖଲ ଲାଗି ଚୀନ ସେନା ଏକାଧିକ ବାର ଉଦ୍ୟମ କରିଛି। ତେବେ ଭାରତୀୟ ଯବାନ ଚୀନ ସେନାକୁ ଘଉଡ଼ାଇ ଦେଇଛନ୍ତି। ଯାହାକୁ ନେଇ ନିକଟରେ ଦୁଇ ପକ୍ଷ ଧସ୍ତାଧସ୍ତି ହୋଇଥିଲେ।
ଆସନ୍ତାକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ମସ୍କୋଠାରେ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିବ ବୋଲି ଜଣାପଡ଼ିଛି।
ପୂର୍ବ ଲଦାଖରେ ଚୀନ୍ ୧୫୦ରୁ ଅଧିକ ଯୁଦ୍ଧ ବିମାନ ଓ ହେଲିକପଟର ମୁତୟନ କରିଛି। ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଉଭୟ ପକ୍ଷର କ୍ଷତି ଘଟିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ତେବେ ପରିସ୍ଥିତିକୁ ଶାନ୍ତ କରିବା ଲାଗି ଉଭୟ ପକ୍ଷ କମାଣ୍ଡର ସ୍ତରୀୟ ଆଲୋଚନା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଦିନ ଧାର୍ଯ୍ୟ ହୋଇନାହିଁ।