ନୂଆଦିଲ୍ଲୀ: ଚୀନ୍ ଧୀରେଧୀରେ କରୋନା ମହାମାରୀ ସହ ବଞ୍ଚିବା ଆରମ୍ଭ କରୁଛି। ଚୀନ୍ରେ କରୋନା ସଂକ୍ରମଣ ବଢ଼ୁଥିଲେ ସୁଦ୍ଧା ଚୀନ୍ ଲଗାତାର ଭାବେ କରୋନା କଟକଣା କୋହଳ କରୁଛି। ସୋମବାର ଦିନ ଚୀନ୍ର ଏନ୍ଏଚସି (ଜାତୀୟ ସ୍ବାସ୍ଥ୍ୟ କମିସନ୍) ଘୋଷଣା କରିଛନ୍ତି ଯେ ବିଦେଶରୁ ଆସୁଥିବା ଯାତ୍ରୀମାନେ ଆଉ କ୍ବାରାଣ୍ଟିନ୍ରେ ରହିବେନି। ଜାନୁଆରି ୮ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ। ଜାନୁଆରି ୮ ତାରିଖରୁ କୌଣସି ଅନ୍ତର୍ଜାତୀୟ ଯାତ୍ରୀ ଆଉ ବାଧ୍ୟତାମୂଳକ କ୍ବାରାଣ୍ଟିନ୍ରେ ରହିବେନି। ବର୍ତ୍ତମାନ ଚୀନ୍କୁ ଆସୁଥିବା ଯାତ୍ରୀମାନେ ୫ ଦିନ କ୍ବାରାଣ୍ଟିନ୍ରେ ରହୁଛନ୍ତି। ଆଗକୁ ଏହି କଟକଣା ହଟିଯିବ। ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ଚୀନ୍ରେ ବାଧ୍ୟତାମୂଳକ କରୋନା ଟେଷ୍ଟ୍ କରାଯାଉଥିଲା। କିନ୍ତୁ ଏବେ ଏହି ନିୟମ କୋହଳ କରାଯାଇଛି। ଦୀର୍ଘ ୩ ବର୍ଷ ଧରି ଚୀନ୍ ସମଗ୍ର ବିଶ୍ବରୁ ବିଚ୍ଛିନ୍ନ ହୋଇ ରହିଥିଲା। ଏଥିପାଇଁ ଚୀନ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି। କିନ୍ତୁ ଚୀନ୍ ଧୀରେଧୀରେ କଟକଣା କୋହଳ କରୁଛି ଏବଂ ଅନ୍ୟ ଦେଶ ପାଇଁ ଏହାର ସୀମା ପୁନର୍ବାର ଖୋଲିବା ଆରମ୍ଭ କରିଛି।
ସଂକ୍ରମଣ ବଢ଼ିବାରୁ ବେଜିଂରେ ଫାଇଜର କୋଭିଡ ଔଷଧ ପାକ୍ସଲୋଭିଡ ବଣ୍ଟନ ଆରମ୍ଭ ହୋଇଛି। ବେଜିଂର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ଔଷଧ ବଣ୍ଟନ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ କରୋନା ରୋଗୀଙ୍କୁ ଏହି ଔଷଧ ଦେବେ ଏବଂ କିଭଳି ଭାବେ ଏହାର ବ୍ୟବହାର କରାଯିବ ସେନେଇ ସୂଚନା ଦେବେ। ଅନ୍ୟପକ୍ଷେ ଚୀନ୍ ବୟସ୍କମାନଙ୍କ ପାଇଁ ଟିକାକରଣ ତ୍ବରାନ୍ବିତ କରିଛି। ଚୀନ୍ କର୍ତ୍ତୃପକ୍ଷମାନେ ଘରକୁ ଘର ଯାଇ ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କରୋନା ଟିକା ଦେଉଛନ୍ତି। ଅନ୍ୟପକ୍ଷେ ଏନ୍ଏଚସି ଚୀନ୍ର ଦୈନିକ ସଂକ୍ରମଣ ସଂକ୍ରାନ୍ତ ତଥ୍ୟ ଦେବା ବନ୍ଦ କରିଦେଇଛି।