ଚୀନ୍ ଏବେ ବି ତଥ୍ୟ ଲୁଚାଇଚାଲିଛି: ଆମେରିକା

ନୂଆଦିଲ୍ଲୀ: ଚୀନ୍‌‌ରେ ମହାମାରୀ କରୋନା ଭୂତାଣୁ ଆବିର୍ଭୂତ ହେବାର ଦୀର୍ଘ ଚାରିମାସ ପରେ ମଧ୍ୟ ସେଠାକାର କମ୍ୟୁନିଷ୍ଟ ସରକାର ସେ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଲୁଚାଇ ଚାଲିଛନ୍ତି। ଏପରିକି ଚୀନ୍ କର୍ତ୍ତୃପକ୍ଷ କରୋନାଭୂତାଣୁ ବିଷୟରେ ବିଭିନ୍ନ ଦ୍ବନ୍ଦ୍ବାତ୍ମକ ତଥ୍ୟ ପରିବେଷଣ କରି ଆମେରିକାବାସୀ ଏବଂ ବିଶ୍ବର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କୁ ଭ୍ରମିତ କରିଚାଲିଛନ୍ତି। ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ଚୀନ୍ ବିରୋଧରେ ଏପରି ପୁରୁଣା ଅଭିଯୋଗକୁ ଦୋହରାଇଛନ୍ତି। କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଭାବେ ବିବେଚନା କରାଯାଉଥିବା ଚୀନ୍‌ର ଉହାନ୍ ସହର ସ୍ଥିତ ଜୈବ ବିଜ୍ଞାନାଗାର ଏବେ ଆଉ ଠିକ୍‌‌ରେ କାମ କରୁନାହିଁ ଏବଂ ତାଙ୍କ ପାଖରେ ଏ ସଂକ୍ରାନ୍ତ ଯୁକ୍ତିଯୁକ୍ତ ବଳିଷ୍ଠ ପ୍ରମାଣ ରହିଛି ବୋଲି ପମ୍ପିଓ ଜୋର୍‌ କରି କହିଛନ୍ତି। ଉହାନ୍‌ସ୍ଥିତ ଉକ୍ତ ପରୀକ୍ଷାଗାରରେ ସୁରକ୍ଷା ଏବଂ ନିରାପତ୍ତାରେ ତ୍ରୁଟି ଦେଖାଦେବା ହେତୁ ସେଠାରୁ ଅସାବଧାନତାବଶତଃ ଏହି ଭୂତାଣୁମାନଙ୍କର ସଂକ୍ରମଣ ବିଜ୍ଞାନାଗାର ପରିସର ବାହାରକୁ ବ୍ୟାପୀ ଶେଷରେ ସାରା ବିଶ୍ବକୁ ଆକ୍ରାନ୍ତ କରିପକାଇଛି ବୋଲି ସେ ଆକ୍ଷେପ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ପାଖାପାଖି ସାଢେ଼ ୧୩ ଲକ୍ଷ ଆମେରିକୀୟଙ୍କୁ ଆକ୍ରାନ୍ତ କରିବା ସହ ୭୯ ହଜାରରୁ ଅଧିକ ଆମେରିକାବାସୀଙ୍କ ଜୀବନ ନେଇଥିବା ଏହି ମହାମାରୀ ଦେଶର ଅର୍ଥନୀତିକୁ କଳ୍ପନାତୀତ ଭାବେ ତଳିତଳାନ୍ତ କରିଦେଇଛି। ସେଥିପାଇଁ ଚୀନ୍ ହିଁ ଦାୟୀ ବୋଲି ପମ୍ପିଓ କହିଛନ୍ତି। କରୋନା ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ସବୁ ଜାଣିଶୁଣି ଗୋପନ ରଖିବାଟା ହିଁ ଚୀନ୍ କର୍ତ୍ତୃପକ୍ଷଙ୍କର ସବୁଠୁ ଦୁଃସାହସିକ ପଦକ୍ଷେପ। ପୂର୍ବରୁ ଚୀନ୍ ମଧ୍ୟ ଏମିତି ଛୋଟ ଛୋଟ ଦେଶ ଉପରେ ଷଡ଼୍‌ଯନ୍ତ୍ର ଚଳାଇ ସେମାନଙ୍କୁ ଆର୍ଥିକ ଆନୁଗତ୍ୟରେ ବଶମ୍ବଦ କରି ନିଜର ପ୍ରଭାବ ବିସ୍ତାର କରିବାର ଉଦାହରଣ ରହିଛି। ବର୍ତ୍ତମାନ କରୋନା ପ୍ରକୋପ ଯୋଗୁଁ ଆମେରିକା ସମେତ ବିଭିନ୍ନ ଉନ୍ନତ ଓ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତି ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥିଲେ ହେଁ ଚୀନ୍ କର୍ତ୍ତୃପକ୍ଷ ସେମାନଙ୍କ ଠାରୁ ଅନୁରୂପ କୃତଜ୍ଞତା ଆଶା କରିବାଟା ଆଦୌ ସମୀଚୀନ ନୁହେଁ ବୋଲି ପମ୍ପିଓ କହିଛନ୍ତି।

ସମ୍ବନ୍ଧିତ ଖବର