ବେଜିଂ: ଚୀନ୍ ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ପୂର୍ବ ଲଦାଖ୍ରେ ଭାରତ-ଚୀନ୍ ସୀମା ବିବାଦ ଲାଗି ରହିଥିବାବେଳେ ଚୀନ୍ ଏବେ ଭୁଟାନ୍ ପରିସରରେ ଏହାର ଦଖଲ ବଢ଼ାଉଛି। ୨୦୧୭ ମାର୍ଚ୍ଚ-ଜୁନ୍ରେ ଚୀନ୍ର ପିଏଲ୍ଏ ଡୋକଲାମ୍ ସ୍ଥିତ ଭୁଟାନ୍ ପରିସର ଅକ୍ତିଆର କରିବାପାଇଁ ବିଶାଳ ଅଭିଯାନ ଆରମ୍ଭ କରିଥିଲା। ତେବେ ମାକ୍ସାର ଟେକ୍ନୋଲୋଜି ପକ୍ଷରୁ ପ୍ରକାଶିତ ଏକ ସାଟେଲାଇଟ୍ ଛବିରୁ ଜଣାପଡ଼ିଛି ଯେ, ଚୀନ୍ ଭୁଟାନ୍ ପରିସରରେ ରାସ୍ତା ନିର୍ମାଣ ଏବଂ ଗ୍ରାମ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରୁଛି। ଜାରି ହୋଇଥିବା ସାଟେଲାଇଟ୍ ଚିତ୍ର ସ୍ପଷ୍ଟ କରିଦେଇଛି ଯେ, ଚୀନ୍ ପୁଣି ଥରେ ଅନ୍ତର୍ଜାତୀୟ ସମୁଦାୟକୁ ପଛପଟୁ ଛୁରି ମାରିଛି। ଆମୋ ଚୁ ନଦୀ ନିକଟସ୍ଥ ଜାଗାକୁ ଚୀନ୍ ନିଜ ଦଖଲକୁ ନେବାପାଇଁ ଚେଷ୍ଟା ଚଳାଇଛି।
ଡୋକଲାମ୍ ବିବାଦ ସମୟରେ ଭାରତ କିଛି ରେଡ୍ ଲାଇନ୍ ଟାଣିଥିଲା ଏବଂ ଏ ନେଇ ଚୀନ୍କୁ ଅବଗତ କରିଥିଲା। ଏହି ରେଡ୍ ଲାଇନ୍ ଚୀନ୍ର ପିଏଲ୍ଏ କେବେ ବି ଅତିକ୍ରମ ନକରିବାପାଇଁ ଭାରତ ପକ୍ଷରୁ ଚେତାଇ ଦିଆଯାଇଥିଲା। ଭାରତ ଯେଉଁ ୨ଟି ରେଡ୍ ଲାଇନ୍ ଟାଣିଥିଲା ତାହା ଉଭୟ ପକ୍ଷ ସ୍ବୀକାର କରିଥିଲେ। ଏଥିମଧ୍ୟରୁ ଗୋଟିଏ ହେଉଛି ଭାରତ ଡୋକଲାମ୍ ନାଲାର ଦକ୍ଷିଣକୁ ଅତିକ୍ରମ କରିବନି ଏବଂ ଅନ୍ୟଟି ହେଉଛି ପିଏଲ୍ଏ ଆମୋ ଚୁ’ର ପୂର୍ବକୁ ଅତିକ୍ରମ କରିବନି। କିନ୍ତୁ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ଚୀନ୍ ଆମୋ ଚୁ ନଦୀରେ ଏକ ପୋଲ୍ ନିର୍ମାଣ କରିଛି। ଭୁଟାନ୍ ପରିସରରେ ଚୀନ୍ ପୂର୍ବରୁ ଏକ ଗ୍ରାମ ନିର୍ମାଣ କରି ସାରିଛି ଏବଂ ଏହାର ନାମ ରଖିଛି ପାଙ୍ଗଦା। ଆମୋ ଚୁ’ର ପଶ୍ଚିମ ଘାଟରେ ଥିବା ଏହି ଗ୍ରାମରେ ୩୦ଟି ଘର ନିର୍ମାଣ ହୋଇଛି। ଅନ୍ୟପକ୍ଷେ ଚୀନ୍ ଏଠାରେ ଆଉ ଏକ ଦ୍ବିତୀୟ ଗ୍ରାମ ନିର୍ମାଣ କରୁଛି।