ନୂଆଦିଲ୍ଲୀ: ଭାରତ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂର ସିକ୍କିମରେ ଚୀନ୍ ତା'ର ସବୁଠାରୁ ହାଇଟେକ୍ ଜେ-୨୦ ଷ୍ଟିଲଥ୍ ଲଢୁଆ ବିମାନ ମୁତୟନ କରିଛି। ମେ' ୨୭ରେ କଏଦ ହୋଇଥିବା ସାଟେଲାଇଟ୍ ଫଟୋରେ ଚୀନର ଏହି ଯୁଦ୍ଧ ବିମାନର ସ୍ଥିତି ଦେଖିବାକୁ ମିଳିଛି। ଜାତୀୟ ସ୍ତରର ଗଣମାଧ୍ୟମ ଏନଡିଟିଭି ଅଲ୍ ସୋର୍ସ ଆନାଲିସିସ୍ ର ଅନୁମତି ନେଇ ଏହି ଚିତ୍ରଗୁଡ଼ିକୁ ପ୍ରକାଶ କରିଛି। ଅଲ୍ ସୋର୍ସ ଆନାଲିସିସ୍ ହେଉଛି ଏକ ସଂସ୍ଥା ଯାହା ସାଟେଲାଇଟ୍ ଫଟୋରୁ ଜିଓସ୍ପେସିଆଲ୍ ଇଣ୍ଟେଲିଜେନ୍ସକୁ ବର୍ଣ୍ଣନା କରେ ।
ସାଟେଲାଇଟ୍ ଫଟୋରେ ଦେଖିବାକୁ ମିଳୁଛି ଯେ ସିକ୍କିମରେ ଚୀନ୍ ଭାରତ ସୀମାଠାରୁ ୧୫୦ କିଲୋମିଟର ଦୂରରେ ମୋଟ ୬ଟି ଜେ-୨୦ ଷ୍ଟିଲ୍ଥ ଲଢୁଆ ବିମାନ ମୁତୟନ କରିଛି। ସାମରିକ ଏବଂ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହୃତ ବିମାନ ବନ୍ଦରରେ ଚୀନଏହି ଲଢୁଆ ବିମାନ ମୁତୟନ କରିଛି । ଏହି ବିମାନବନ୍ଦର ତିବ୍ଦତର ଦ୍ୱିତୀୟ ବୃହତ୍ତମ ସହର ଶିଗାତ୍ସେକୁ ସେବା ଯୋଗାଇଥାଏ । ୧୨,୪୦୮ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ବିମାନବନ୍ଦର ବିଶ୍ୱର ସର୍ବୋଚ୍ଚ ବିମାନବନ୍ଦରରେ ମଧ୍ୟ ଅନ୍ତର୍ଭୁକ୍ତ । ଉପଗ୍ରହ ଚିତ୍ରରେ ଏକ କେଜେ-୫୦୦ ଏୟାରବୋର୍ଣ୍ଣ ଆର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ବିମାନ ମଧ୍ୟ ଦୃଶ୍ୟମାନ ହେଉଛି।