ତାଇପେଇ : ତାଇଓ୍ବାନ ଉପକୂଳରେ ଚୀନର ଯୁଦ୍ଧାଭ୍ୟାସ ଶେଷ ହେବା ପରେ ବି ଚୀନର ଦାଦାଗିରି ଜାରି ରହିଛି । ଶନିବାରଦିନ ଚୀନ ବାୟୁସେନାର ୧୩ଟି ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ବାୟୁସୀମା ଚିହ୍ନଟ ଅଂଚଳ (ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ)ନିକଟବର୍ତ୍ତୀ ହୋଇଛନ୍ତି । ଅନ୍ୟପଟେ ଚୀନକୁ ଜବାବ ଦେବାକୁ ଆମେରିକା ତାଇଓ୍ବାନ ଉପକୂଳରେ ନିଜର ଯୁଦ୍ଧ ଜାହାଜ ଓ ବିମାନ ଉଡ଼ାଇବାକୁ ଯୋଜନା କରୁଛି । ଏପରି ହେଲେ ସ୍ଥିତି ଆହୁରି ଉତ୍ତେଜକ ହେବାର ଆଶଙ୍କା ରହିଛି ।

Advertisment

ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚୀନର ୧୩ଟି ବିମାନ ତାଇଓ୍ବାନ ପ୍ରଣାଳୀ ( ତାଇଓ୍ବାନ ଷ୍ଟ୍ରେଟ୍ )ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନପକ୍ଷରୁ ତାଇଓ୍ବାନ ନିକଟକୁ ଲାଗି ବିଭିନ୍ନ ପ୍ରକାରର ଅଘୋଷିତ ଯୁଦ୍ଧାଭ୍ୟାସ ଜାରି ରହିଛି । କିଛି ଦିନ ପୂର୍ବରୁ ଚୀନ ଯୁଦ୍ଧାଭ୍ୟାସ ଶେଷ ହେବା ବିଷୟ ଘୋଷଣା କରିଥିଲା । କିନ୍ତୁ ତାଇଓ୍ବାନ ଉପକୂଳରେ ପାଟ୍ରୋଲିଂ ଜାରି ରହିବ ବୋଲି କହିଥିଲା ।

ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା କାର୍ଟ କ୍ୟାମ୍ପବେଲ କହିଛନ୍ତି ଯେ ଉତ୍ତେଜନା ସତ୍ତ୍ବେ, ଆମେରିକାର ଯୁଦ୍ଧ ଜାହାଜ ଓ ବିମାନ ତାଇଓ୍ବାନ ନିକଟରେ ଅନ୍ତର୍ଜାତୀୟ ଜଳସୀମାରେ ଯତାୟାତ ଜାରି ରଖିବ । ଏପରିକି ତାଇଓ୍ବାନ ପ୍ରଣାଳୀ (ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ଅଣଓସାରିଆ ସମୁଦ୍ର)ରେ ମଧ୍ୟ ଆମେରିକାର ଜାହାଜ ଓ ବିମାନ ଯାତାୟାତ କରିବ ।