‘କୃତ୍ରିମ ସୂର୍ଯ୍ୟ’ ପରୀକ୍ଷଣ ଆରମ୍ଭ କଲା ଚୀନ୍‌

୧୫ କୋଟି ଡିଗ୍ରି ସେଲସିଅସ୍‌ ତାପମାତ୍ରା ହାସଲ କରିବା ଲକ୍ଷ୍ୟ

ବେଜିଂ : ଚୀନ୍‌ର ବୈଜ୍ଞାନିକମାନେ ପ୍ରଥମ କରି ନିଜ ଦେଶରେ ରାସାୟନିକ ପ୍ରତିକ୍ରିୟା ‘ଆଣବିକ ଗଳନ’ (ନ୍ୟୁକ୍ଲିଅର ଫ୍ୟୁଜନ୍‌) ବା କୃତ୍ରିମ ସୂର୍ଯ୍ୟ ପରୀକ୍ଷଣ ଆରମ୍ଭ କରିଛନ୍ତି। ଦେଶର ଆଣବିକ ଶକ୍ତି ଗବେଷଣା କ୍ଷେତ୍ରରେ ଏହା ଏକ ବିରଳ ଉପଲବ୍‌ଧି ବୋଲି କୁହାଯାଇଛି। ‘ଏଚ୍‌ଏଲ୍‌-୨ଏମ୍‌ ଟୋକାମାକ୍‌’ ନାମକ ଚୀନର ସର୍ବାଧୁନିକ ତଥା ବୃହତ୍ତମ ରିଆକ୍ଟରରେ ସଂଘଟିତ ଏହି ପ୍ରକ୍ରିୟା ଦ୍ବାରା ଏକ ବିଶାଳ ସବୁଜ ଶକ୍ତିକ୍ଷେତ୍ରର ଦ୍ବାର ଉନ୍ମୁକ୍ତ ହୋଇପାରିବ ବୋଲି ଚୀନୀ ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି। ଏଥିରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସାହାଯ୍ୟରେ ଉତ୍ତପ୍ତ ପ୍ଲାଜ୍‌ମାକୁ ଗଳନ ହେବାକୁ(ମିଶିବାକୁ) ଦିଆଯାଇଛି ଏବଂ ଏଥିରୁ ୧୫ କୋଟି ଡିଗ୍ରି ସେଲ୍‌ସିଅସ୍‌ ଭଳି ଅତ୍ୟୁଚ୍ଚ ତାମମାତ୍ରା ହାସଲ କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ଆମ ସୌରମଣ୍ଡଳର ସୃଷ୍ଟିକର୍ତ୍ତା ସୂର୍ଯ୍ୟର କେନ୍ଦ୍ରସ୍ଥଳର ତାପମାତ୍ରାର ଏହା ଦଶ ଗୁଣ ଅଧିକ ହେବ ବୋଲି କୁହାଯାଉଛି। ସୁତରାଂ ଏପରି ବ୍ୟାପକ ତାପଶକ୍ତି ସୃଷ୍ଟି କରିପାରୁଥିବା ପ୍ରକ୍ରିୟାକୁ ‘କୃତ୍ରିମ ସୂର୍ଯ୍ୟ’ ଭାବେ ଆଖ୍ୟାୟିତ କରାଯାଇଛି। ନ୍ୟୁକ୍ଲିଅର ଫ୍ୟୁଜନ ପ୍ରତିକ୍ରିୟାରେ ବ୍ୟାପକ ପ୍ରଦୂଷଣକାରୀ ସବୁଜଗୃହ ବାଷ୍ପ ନିର୍ଗତ ହେଉଥିବା ବେଳେ ଏ ପ୍ରକାର ନ୍ୟୁକ୍ଲିଅର ଫ୍ୟୁଜନ୍‌ରେ ସେଭଳି କିଛି ବିପଦର ଆଶଙ୍କା ନାହିଁ। ଅପରପକ୍ଷେ, ଏହି ପ୍ରକ୍ରିୟାରେ ଏତେ ଅତ୍ୟୁଚ୍ଚ ତାପମାତ୍ରାକୁ ନିୟନ୍ତ୍ରଣ କରିବା ହିଁ ମୁଖ୍ୟ ସମସ୍ୟା। ଏଭଳି ତାପମାତ୍ରାରେ ସଂପୃକ୍ତ ଗବେଷଣାଗାର ବି ବାଷ୍ପୀଭୂତ ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର