ଅରୁଣାଚଳ ପ୍ରଦେଶ ସୀମାନ୍ତକୁ ଲାଗିଥିବା ତିବ୍ବତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କଲା ଚୀନ୍

ବେଜିଙ୍ଗ୍: ସୁଦୂର ହିମାଳୟ ଅଞ୍ଚଳ ତିବ୍ବତରେ ଚୀନ୍‌ ଶୁକ୍ରବାର ଦିନ ପ୍ରଥମ କରି ସମ୍ପୂର୍ଣ୍ଣ ବିଦ୍ୟୁତ୍‌ ଚାଳିତ ବୁଲେଟ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଅରୁଣାଚଳ ପ୍ରଦେଶ ପାଖାପାଖି ତିବ୍ବତୀୟ ସୀମାନ୍ତରେ ଅବସ୍ଥିତ ପ୍ରାଦେଶିକ ରାଜଧାନୀ ଲାସା ଏବଂ ନାଇଙ୍ଗଚି ମଧ୍ୟରେ ଏହି ଟ୍ରେନ୍‌ ଚଳାଚଳ କରିବ।

ଜୁଲାଇ ୧ ତାରିଖରେ ଆୟୋଜନ ହେବାକୁ ଥିବା ଶାସକ ଚୀନା କମ୍ୟୁନିଷ୍ଟ୍‌ ପାର୍ଟିର ଶତବାର୍ଷିକ ପାଳନ ପୂର୍ବରୁ ସିଚୁଆନ୍‌-ତିବ୍ବତ ରେଳବାଇର ୪୩୫.୫ କିଲୋମିଟର୍‌ ଦୀର୍ଘ ଲାସା-ନାଇଙ୍ଗଚି ସେକ୍ସନ୍‌ର ଶୁଭାରମ୍ଭ କରାଯାଇଛି।

ରାଷ୍ଟ୍ରାୟତ ସମ୍ବାଦ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି ଯେ, ‘ଫୁକ୍ସିଙ୍ଗ୍’ ବୁଲେଟ୍‌ ଟ୍ରେନ୍‌ର ଔ‌ପଚାରିକ ଚଳାଚଳ ଆରମ୍ଭ ହେବା ସହ ପାର୍ବତ୍ୟ ଅଞ୍ଚଳ ଅନ୍ତର୍ଗତ ଲାସା ଏବଂ ନାଇଙ୍ଗଚିକୁ ସଂଯୋଗ କରି ତିବ୍ବତ ସ୍ବୟଂଶାସିତ ଅଞ୍ଚଳରେ ପ୍ରଥମ ବ‌ୈଦ୍ୟୁତିକୃତ ରେଳପଥ ଶୁକ୍ରବାର ସକାଳେ ଉନ୍ମୋଚିତ ହୋଇଛି।

Image Courtesy of Reuters

ସୀମାନ୍ତ ସ୍ଥିରତା ସୁରକ୍ଷିତ ରଖିବାରେ ଏହି ରେଳପଥ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ‌ବୋଲି କହି ନଭେମ୍ବର ମାସରେ ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏହି ନୂତନ ରେଳପଥ ନିର୍ମାଣ ତ୍ବରାନ୍ବିତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ସିଚୁଆନ ପ୍ରଦେଶର ରାଜଧାନୀ ଚେଙ୍ଗଡୁରୁ ସିଚୁଆନ୍‌-ତିବ୍ବତ ରେଳପଥ ଆରମ୍ଭ ହୋଇ ୟା’ଆନ୍‌ ଦେଇ କ୍ବାମଦୋ ମଧ୍ୟ ଦେଇ ତିବ୍ବତରେ ପ୍ରବେଶ କରୁଛି। ଫଳରେ ପୂର୍ବରୁ ଚେଙ୍ଗଡୁରୁ ଲାସା ଯାତ୍ରାପାଇଁ ଲାଗୁଥିବା ୪୮ ଘଣ୍ଟାର ସମୟ ସମ୍ପ୍ରତି ୧୩ ଘଣ୍ଟାକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର