ବେଜିଙ୍ଗ୍/ଇସ୍ଲାମାବାଦ୍: ପାକିସ୍ତାନ ନିମନ୍ତେ ନିର୍ମାଣ କରୁଥିବା ଚାରିଟି ଅତ୍ୟାଧୁନିକ ନୌସେନା ଯୁଦ୍ଧପୋତରୁ ଚୀନ୍ ପ୍ରଥମଟିକୁ ଲଞ୍ଚ୍ କରିଛି। ରବିବାର ଦିନ ସାଙ୍ଘାଇସ୍ଥିତ ହୁଡୋଙ୍ଗ୍ ଝୋଙ୍ଘୁଆ ସିପ୍ୟାର୍ଡରେ ପ୍ରଥମ ଯୁଦ୍ଧପୋତଟିର ଲଞ୍ଚିଙ୍ଗ୍ ଉତ୍ସବ ଆୟୋଜିତ ହୋଇଥିଲା।
‘ଟାଇପ୍-୦୫୪ କ୍ଲାସ୍ ଫ୍ରିଗେଟ୍’ର ଏହି ପ୍ରଥମ ଜାହାଜର ଲଞ୍ଚ୍ ପାକିସ୍ତାନ-ଚୀନ୍ ପ୍ରତିରକ୍ଷା ରାଜିନାମାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି ବୋଲି ପାକିସ୍ତାନର ରାଷ୍ଟ୍ରାୟତ ଗଣମାଧ୍ୟମ ‘ଏପିପି’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
‘ଟାଇପ୍-୦୫୪ କ୍ଲାସ୍’ରେ ଯୁଦ୍ଧ ପୋତ ଆଧୁନିକ ସର୍ଫେସ୍, ସବ୍-ସର୍ଫେସ୍, ଆଣ୍ଟି-ଏୟାର୍ ଉଇପନ୍, କମ୍ବାଟ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍ ଓ ସେନ୍ସସରରେ ସଜ୍ଜିତ ହୋଇଛି । ପାକିସ୍ତାନ ଦୁଇଟି ‘ଟାଇପ୍-୦୫୪ ଏ/ପି ଫ୍ରିଗେଟ୍’ ନିମନ୍ତେ ୨୦୧୭ରେ ‘ଚାଇନା ସିପ୍ ବିଲ୍ଡିଙ୍ଗ୍ ଟ୍ରେଡିଙ୍ଗ୍ କମ୍ପାନି ଲିମିଟେଡ୍’ ସହ ଚୁକ୍ତି କରିଥିଲା। କିନ୍ତୁ, ଚୁକ୍ତିର ସର୍ତ୍ତାବଳୀ ଓ ଜାହାଜର ମୂଲ୍ୟ ବାବଦରେ କୌଣସି ସୂଚନା ପ୍ରକାଶ କରାଯାଇ ନ ଥିଲା।
ତେବେ ଏହି ଫ୍ରିଗେଟ୍ ଶ୍ରେଣୀୟ ଯୁଦ୍ଧପୋତ କେବେ ପାକିସ୍ତାନ ହାତକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ। ଏହାଦ୍ବାରା ଆରବ ସାଗର ଅଂଚଳରେ ପାକସେନାର ଶକ୍ତବୃଦ୍ଧି ଘଟିବ ବୋଲି କୁହାଯାଉଛି।