ନୂଆଦିଲ୍ଲୀ: ଭାରତର ଶକ୍ତି ଆଗରେ ତିଷ୍ଠି ପାରିଲାନି ପାକିସ୍ତାନ । ପାକିସ୍ତାନର ସବୁ ଶକ୍ତି ଫେଲ୍ ମାରିଲା, ସବୁ ଅସ୍ତ୍ର ଫୁସକି ଗଲା ଆଉ ଆକାଶରେ ହିଁ ପାଉଁଶ ହୋଇଗଲା । ମହାଭାରତ ଯୁଦ୍ଧରେ ରାମ-ରାବଣ ଯୁଦ୍ଧର ଦୃଶ୍ୟ ଭଳି ଦୁଇ ଦିନ ତଳେ ସୀମାର ଦୃଶ୍ୟ ଥିଲା ଠିକ୍ ଏକାପରି । ଯେମିତି ରାବଣର ଅସ୍ତ୍ରକୁ ରାମଙ୍କ ବାଣ ମଝି ଆକାଶରେ ନିଷ୍କ୍ରିୟ କରି ଦେଉଥିଲା ଠିକ୍ ସେମିତି ଆତଙ୍କୀସ୍ତାନ ଭାବେ ପରିଚିତ ପାକିସ୍ତାନ ପଟୁ ଆସୁଥିବା ସବୁ ଅସ୍ତ୍ରକୁ ଧୂଆଁ କରିଦେଉଥିଲେ ଭାରତୀୟ ଯବାନ ।
ସେ ମିସାଇଲ୍ କୁହନ୍ତୁ କି ଗୁଳିମାଡ ଅବା ଡ୍ରୋନ ଆକ୍ରମଣ... ପାକିସ୍ତାନ ଲଗାତାର ୩ ଦିନ ହେବ ଭାରତକୁ ଘାଇଲା କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇନଥିଲା । ପର ପାଖରୁ ମାଗି ଆଣିଥିବା ଅସ୍ତ୍ରକୁ ବି ଭାରତୀୟ ସେନା ଆକାଶରେ ସ୍ବାହା କରିଥିଲେ । ଦୁଇ ତିନି ତଳେ ଏ ଦୃଶ୍ୟ ସାରା ଦୁନିଆ ଦେଖିଥିବା ବେଳେ ଆଜି ପ୍ରେସମିଟ୍ କରି ଏ ବାବଦରେ ବଖାଣିଛନ୍ତି ୩ ସେନା ।
ପାକିସ୍ତାନ ପ୍ରୟୋଗ କରିଥିବା ଚାଇନା ମିସାଇଲ ଏବଂ ତୁର୍କୀ ଡ୍ରୋନକୁ ସୀମାରେ ଖସାଇଥିଲେ ଭାରତୀୟ ଯବାନ । ପାକିସ୍ତାନ ଚୀନ ଠାରୁ ଆଣିଥିବା ପିଏଲ-୧୫ ଏୟାର ଟୁ ଏୟାର ମିସାଇଲକୁ ବି ଭାରତ ଧ୍ବଂସ କରିଛି । ସେହିପରି ତୁର୍କୀ ନିର୍ମିତ ଡ୍ରୋନକୁ ବି ନଷ୍ଟ କରାଯାଇଥିବା ପ୍ରେସମିଟରେ କୁହାଯାଇଛି ।
ସେହିପରି ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର । ଆମର ୪ ଥାକିଆ ସୁରକ୍ଷା କବଚ ଥିବାରୁ ଏହାକୁ ଭେଦିବା କଷ୍ଟ , ଯାହା ପାକିସ୍ତାନ ପାଖେ ନାହିଁ । ତେଣୁ ଆମର କ୍ଷୟକ୍ଷତି କମ୍, ପାକିସ୍ତାନର ଅଧିକ । ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛନ୍ତି ଭାରତୀୟ ସେନା । ପ୍ରେସମିଟରେ ଭଗ୍ନାବଶେଷର ଚିତ୍ର ଦେଖାଇଛନ୍ତି ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ବି ଫେଲ୍ ମାରିଥିବା କହିଛନ୍ତି ଭାରତର ଡିଜିଏମଓ । ଅପରେସନ୍ ସିନ୍ଦୂରରେ ବିଏସଫର ଯୋଗଦାନ ରହିଛି । ପହଲଗାମରେ ନିରୀହଙ୍କ ଉପରେ ଆକ୍ରମଣ କରାଯାଇଛି । ଏହାପରେ ଭାରତୀୟ ଯବାନ ଆତଙ୍କୀଙ୍କ ଉପରେ ସଠିକ୍ ଭାବେ ଆକ୍ରମଣ କରିଛନ୍ତି । ସୀମା ଅତିକ୍ରମ ନକରି ଆକ୍ରମଣ କରିଛୁ ବୋଲି ଡିଜିଏମଓ ସ୍ପଷ୍ଟ କରିଛନ୍ତି ।