ମାଳଦ୍ୱୀପରେ ସାମରିକ ଘାଟି ପ୍ରତିଷ୍ଠା କରିବା ଚୀନର ଗୋପନ ଲକ୍ଷ୍ୟ

ଓ୍ଵାସିଂଟନ: ଭାରତ ମହାସାଗରୀୟ ଦେଶ ମାଳଦ୍ୱୀପର ଆଭ୍ୟନ୍ତରୀଣ ମାମଲାରେ ଧୀରେ ଧୀରେ ଚୀନ ହସ୍ତକ୍ଷେପ କରିବା ଆରମ୍ଭ କଲାଣି । ଏହା ଉଭୟ ଭାରତ ଓ ଭାରତ ମହାସାଗରୀୟ ଅଂଚଳ ପାଇଁ ବିପଦର ଘଣ୍ଟି ବୋଲି କହିଛନ୍ତି ମାଳଦ୍ୱୀପର ପୂର୍ବତନ ବିଦେଶ ମନ୍ତ୍ରୀ ତଥା ବିରୋଧୀଦଳ ନେତା ଅହମ୍ମଦ ନସୀମ । ସେ କହିଛନ୍ତି ଯେ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଏବେ ସମ୍ପୂର୍ଣ୍ଣ ଭାବେ ଏତଛତ୍ରବାଦୀ ହୋଇଯାଇଛନ୍ତି ଓ ତାଙ୍କୁ ଚୀନ ସବୁ ପ୍ରକାରର ସହାୟତା କରୁଛି । ଏହି ମୌକାରେ ଚୀନ ମାଳଦ୍ୱୀପରେ ଅନେକ ଜମି ମାଡିବସିଛି । ମାଳଦ୍ୱୀପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ଚୀନ ସମସ୍ତଙ୍କୁ କହୁଥିବାବେଳେ ନିଜେ ହସ୍ତକ୍ଷେପ କରୁଛି । ଚୀନ ମାଳଦ୍ୱୀପର ଶାସକଙ୍କୁ ଲାଞ୍ଚୁଆ କରି ନିଜେ କ୍ଷମତା ଅଧିକାର କରୁଛି । ମାଳଦ୍ୱୀପକୁ ଅଧିକାର କରି ଏକ ସାମରିକ ଘାଟି ପ୍ରତିଷ୍ଠା କରିବା ଚୀନର ଲକ୍ଷ୍ୟ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଟ୍ରମ୍ପ ପ୍ରଶାସନକୁ ମାଳଦ୍ୱୀପର ରାଜନୈତିକ ସଂକଟ ବାବଦରେ ଅବଗତ କରିବାକୁ ଅହମ୍ମଦ ନସୀମ ଏବେ ଆମେରିକା ଗସ୍ତରେ ଅଛନ୍ତି । ଗତ ଫେବ୍ରୁଆରୀ ୫ ତାରିଖରେ ମାଳଦୀପର ସୁପ୍ରିମକୋର୍ଟ ଜେଲରେ ଥିବା ୯ଜଣ ରାଜନୈତିକ ନେତାଙ୍କୁ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଷ୍ଟ୍ରପତି ୟମିନ ଏହାକୁ ମାନିବାକୁ ମନା କରି ଜରୁରୀପରିସ୍ଥିତି ଲଗାଇଥିଲେ । ଏହା ସହିତ ବିରୋଧୀ ଦଳ ନେତା ଓ ବିଚାରପତିମାନଙ୍କୁ ଜେଲରେ ପୁରାଇଥିଲେ । ଏହି ୯ ଜଣଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଗୟୁମ ଓ ଦୁଇ ଜଣ ବିଚାରପତି । ଫେବ୍ରୁଆରୀ ୨୦ରେ ସେ ଜରୁରୀ ପରିସ୍ଥିତିକୁ ମାସ ପାଇଁ ବଢାଇଦେଇଥିଲେ ।

ସମ୍ବନ୍ଧିତ ଖବର