ତିବ୍ବତରେ ଲଢୁଆ ବିମାନ, ଅସ୍ତ୍ରଶସ୍ତ୍ର ଠୁଳ କରିଚାଲିଛି ଚୀନ, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ : ଗୋଟିଏ ପଟେ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ  ଓ ଚୀନ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଚୀନ ତିବ୍ବତରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଏକ ଗୋପନ ସାମରିକ ଯୋଜନାର ଅଂଶବିଶେଷ ଭାବେ  ତିବ୍ବତରେ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, ଏୟାର ସତର୍କତା ପ୍ରଣାଳୀ ମୁତୟନ କରିଚାଲିଛି । ଏହା ଭାରତ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ତିବ୍ବତର ୩ଟି ଏୟାରଫିଲଡରେ ଚୀନର ୧୨ଟି ଲଢୁଆ ବିମାନ, ୪୦ଟି ହେଲିକପ୍ଟର, ପ୍ରାୟ ଏକ ଡଜନ ୟୁଏଭି (ଡ୍ରୋନ), ପରିବହନ ଓ ଇନ୍ଧନ ବିମାନ ଆଦି ମୁତୟନ କରିଛି । ଭାରତକୁ ଦୃଷ୍ଟିରେ ରଖି ଚୀନ ଏହା କରିଥିବା ସଂଦେହ କରାଯାଉଛି । ଏସବୁ ବିମାନ ମଧ୍ୟରେ ରହିଛି ଜେ-୧୦ ଭିଗୋରସ ଡ୍ରାଗନ ଲଢୁଆ ବିମାନ, ମଲଟି-ରୋଲ ଫାଇଟର, ୧୦ଟି ସେନୟାଙ୍ଗ ଜେ-୧ ଫାଇଟର, ଗୋଟିଏ ଟ୍ବିନ ଇଂଜିନ ବିଶିଷ୍ଟ ବିମାନ ଓ ଦୁଇଟି ଜେ-୭ ରହିଛି । ଲାସାଠାରେ ଏକ ସାନସି କେଜେ-୫୦୦ ବିମାନ ରହିଛି । ଏହା ଏକ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ । ଏହା ଦୂରରୁ ଭାରତୀୟ ଲଢୁଆ ବିମାନଗୁଡ଼ିକୁ ଠାବ କରିପାରିବ, ଯେପରିକି ଚୀନ ବିମାନଗୁଡ଼ିକ ସତର୍କ ହୋଇପାରିବେ । ତିବ୍ବତର ସିଗାସିଠାରେ ୧୨ଟି ହେଲିକପ୍ଚର, କେଜେ ୫୦୦ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ମୁତୟନ କରାଯାଇଛି । ସେହିପରି ଏକ ବୃହତ୍ ମିଲିଟାରି ପରିବହନ ବିମାନ ବି ରଖାଯାଇଛି ।

ଗଲଓ୍ବାନ ସଂଘର୍ଷ ପରେ ଦୁଇ ଦେଶର ସେନା ସୀମାରେ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଚୀନର ଏପରି ପଦକ୍ଷେପକୁ ନେଇ ଭାରତୀୟ ସେନା ଓ  ବାୟୁସେନା ସତର୍କ ହୋଇଯାଇଛି ।

 

 

ସମ୍ବନ୍ଧିତ ଖବର