ବଢିଲା ଉତ୍ତେଜନା : ଜାପାନ ଜଳସୀମାରେ ପଡ଼ିଲା ଚୀନ କ୍ଷେପଣାସ୍ତ୍ର

ଟୋକିଓ : ତାଇଓ୍ବାନକୁ ଧମକାଇବାକୁ ଚୀନ ପକ୍ଷରୁ ଆରମ୍ଭ କରାଯାଇଥିବା ବୃହତ୍ ସମସରାଭ୍ୟାସ ଯୋଗୁଁ ପୂର୍ବ ଏସିଆରେ ଉତ୍ତେଜନା ବଢିବାରେ ଲାଗିଛି । ଉତ୍ତେଜନା ଏତେ ବଢିଯାଇଛି ଯେ ଯେକୌଣସି ସମୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଦେଇଛି ।

ଚୀନ ପକ୍ଷରୁ ଶକ୍ତିଶାଳୀ ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ତାଇଓ୍ବାନକୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ଏହି ଉତ୍ତେଜନା ସେତେବେଳେ ଆହୁରି ବଢିଗଲା ଯେତେବେଳେ ୫ଟି ଡୋଙ୍ଗଫେଙ୍ଗ-୧୬ ବାଲିଷ୍ଟିକ କ୍ଷେପଣାସ୍ତ୍ର ଜାପାନର ଜଳସୀମାରେ ଆସୁଥିବା ହାଟେରୁମା ଦ୍ବୀପର ଦକ୍ଷିଣ-ପଶ୍ଚିମ ଦିଗରେ ପଡ଼ିଥିଲା । ଏହି ଅଂଚଳ ତାଇଓ୍ବାନ ନିକଟରେ ଥିଲେ ବି ଜାପାନର ଏକ୍ସକ୍ଲୁସିଭ ଇକନୋମିକ ଜୋନର ଅନ୍ତର୍ଗତ ଥିବାରୁ ଜାପାନ ତାହାକୁ ନେଇ କ୍ଷୁବଧ ହୋଇଛି ।

ଏହାକୁ ନେଇ ଜାପାନ ଓ ଚୀନ ମଧ୍ୟରେ ବିବାଦ ବଢିବାର ଆଶଙ୍କା ରହିଛି । ଜାପାନ ପକ୍ଷରୁ ଏହାକୁ ନେଇ ଚୀନ ନିକଟରେ ପ୍ରତିବାଦ କରାଯିବା ସହ ତୁରନ୍ତୁ ଏହି ଯୁଦ୍ଧାଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୁବୁଓ କିସି କହିଛନ୍ତି ଯେ ଚୀନ ପକ୍ଷରୁ ଏହା ଏକ ବଡ଼ ଭୁଲ କରାଯାଇଛି । ଏହା ଜାପାନର ସୁରକ୍ଷାକୁ ବିପନ୍ନ କରୁଛି ।

ଚୀନ ଓ ତାଇଓ୍ବାନ ବିବାଦର କେନ୍ଦ୍ରରେ ଥିବା ଆମେରିକୀୟ ପ୍ରତିନିଧି ସଭା ବାଚସ୍ପତି ନାନସି ପାଓ୍ବେଲ ଗୁରୁବାରଦିନ ଜାପାନରେ ପହଞ୍ଚିଛନ୍ତି । ଏହା ମିସାଇଲ ଗୁଡ଼ିକୁ ମାଡ଼ କରି ଚୀନ ଜାପାନକୁ ଏକ ସଂଦେଶ ଦେବାକୁ ଚେଷ୍ଟା କରୁଛି ବୋଲି ମନେ କରାଯାଉଛି ।

ସମ୍ବନ୍ଧିତ ଖବର