ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନର ତୀବ୍ର ବିରୋଧ

ନୂଆଦିଲ୍ଲୀ : ଗୃହ ମନ୍ତ୍ରୀ ଅମିତ ଶାହା ଆଜି ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଛନ୍ତି । ୩୪ ତମ ଅରୁଣାଚଳ ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଶାହା ସେଠାକୁ ଯାଇଛନ୍ତି । କିନ୍ତୁ ଚୀନ ଏହି ଗସ୍ତକୁ ବିରୋଧ କରିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ତିବ୍ଦତ ତଥା ଭାରତ-ଚୀନ ସୀମାର ପୂର୍ବାଞ୍ଚଳ କ୍ଷେତ୍ର ସଂପର୍କରେ ଚୀନର ନୀତି ସବୁବେଳେ ସ୍ପଷ୍ଟ ରହିଆସିଛି । ଏହି ମନ୍ତ୍ରାଳୟର ମୁଖପାତ୍ର ଗେଂ ସୁଆଙ୍ଗ୍‌ କହିଛନ୍ତି ଯେ ଚୀନ ଭାରତର ତଥାକଥିତ ଅରୁଣାଚଳ ପ୍ରଦେଶରାଜ୍ୟକୁ ମାନ୍ୟତା ଦିଏ ନାହିଁ । ଏଣୁ କୌଣସି ଭାରତୀୟ ରାଜନେତାଙ୍କ ଗସ୍ତକୁ ଚୀନ ବିରୋଧ କରୁଛି । ଏହା ଏହି ଅଞ୍ଚଳରେ ସ୍ଥିରତାକୁ ପ୍ରଭାବିତ କରୁଛି ଓ ଚୀନର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରୁଛି । ଏହା ମଧ୍ୟ ଦୁଇଦେଶ ମଧ୍ୟରେ ଥିବା ରାଜନୈତିକ ଭରସାକୁ ଭାଙ୍ଗୁଛି ।

ଅରୁଣାଚଳ ପ୍ରଦେଶକୁ ଚୀନ ଦକ୍ଷିଣ ତିବ୍ଦତ ବୋଲି କହିଥାଏ । ଏଣୁ ଏହା ନିଜର ଅଂଶ ବୋଲି ବିଚାର କରେ ବେଜିଂ । ଏଥିପାଇଁ ଚୀନ ଅରୁଣାଚଳକୁ ଭାରତର ଏକ ଅଂଶଭାବେ ବିଚାର କରେ ନାହିଁ । ଭାରତର କୌଣସି ନେତା ସେଠାକୁ ଗଲେ ଚୀନ ଆପତ୍ତି ଉଠାଇଥାଏ । କିନ୍ତୁ ଅରୁଣାଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ନୂଆଦିଲ୍ଲୀ ସବୁବେଳେ କହିଆସିଛି ।

ସମ୍ବନ୍ଧିତ ଖବର