ଜମ୍ମୁ-କଶ୍ମୀରର ବିଭାଜନକୁ ‘ବେଆଇନ୍‌’ କହି ବିରୋଧ କଲା ଚୀନ୍‌; ଭାରତ କହିଲା ଆମ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କର ନାହିଁ’…

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପରେ ଭାରତ ସରକାର ରାଜ୍ୟ ବଦଳରେ ଏହାକୁ ବିଭାଜନ କରି ଜମ୍ମୁ- କଶ୍ମୀର ଓ ଲଦାଖ ରୂପେ ଆଜି ଠାରୁ ବିଧିବଦ୍ଧ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରିଛନ୍ତି। ତେବେ, ପଡ଼ୋଶୀ ଚୀନ୍‌ ଭାରତ ସରକାରଙ୍କର ଏପ୍ରକାର ନିଷ୍ପତ୍ତି ଓ କାର୍ଯ୍ୟକୁ ବିରୋଧ କରିଛି। ଚୀନ୍‌ ଭାରତ ସରକାରଙ୍କର ଏପ୍ରକାରର କାର୍ଯ୍ୟକୁ ‘ବେଆଇନ୍‌’ ବୋଲି କହିବା ସହ ଏହା ବେଜିଂର ସାର୍ବଭୌମତ୍ବକୁ ପ୍ରଭାବିତ କରିବ ବୋଲି ମଧ୍ୟ କହିଛି।

ତେବେ, ଏପ୍ରସଙ୍ଗରେ ଚୀନ୍‌କୁ ବେଶ କଡ଼ା ଓ ଶାଣିତ ଶବ୍ଦ ବ୍ୟବହାର କରି ପ୍ରତ୍ୟୁତ୍ତର ଦେଇଛି ଭାରତ। ଚୀନ୍‌କୁ କହିଛି ଯେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡଖେଳାଇବା ବନ୍ଦ କରିବା ସହ ଭାରତକୁ ପରାମର୍ଶ ଦେବା ବନ୍ଦ କରୁ ଚୀନ୍‌। ଚୀନ୍‌କୁ ମନେ ପକାଇଦେଇ ଭାରତ କହିଛି ଯେ ଲଦାଖ ଓ ଜମ୍ମୁ-କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଉଭୟ ଲଦାଖ ଓ ଜମ୍ମୁ- କଶ୍ମୀର ହେଉଛନ୍ତି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଯେହେତୁ, ଭାରତ ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ହସ୍ତକ୍ଷେପ କରୁନାହିଁ, ସେଥିପାଇଁ ଭାରତ ମଧ୍ୟ ଚାହେଁ ତା’ର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ହସ୍ତକ୍ଷେପ ନକରନ୍ତୁ।

First Post

‘ଆମେ ଆଶା କରୁଛୁ, ଅନ୍ୟ ରାଷ୍ଟ୍ର ଭାରତର ସାର୍ବଭୌମତ୍ବ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ପ୍ରଦର୍ଶନ କରିବେ। ଚୀନ୍‌ ଭୁଲିଯିବା ଉଚିତ୍‌ ନୁହେଁ ଯେ ସେ ଲଦାଖ ଓ ଜମ୍ମୁ- କଶ୍ମୀରର ବ୍ୟାପକ ଅଞ୍ଚଳକୁ ବେଆଇନ୍‌ ଓ ବଳପୂର୍ବକ ଭାବେ ନିଜ କବ୍‌ଜାରେ ରଖି ଭାରତର କ୍ଷେତ୍ରୀୟ ଅଖଣ୍ଡତା ଉପରେ ପ୍ରଶ୍ନ ଚିହ୍ନ ଲାଗାଇଛି’, ବୋଲି ଆଜି ସନ୍ଧ୍ୟାରେ କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଭୀସ୍‌ କୁମାର।

ସମ୍ବନ୍ଧିତ ଖବର