ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଆପତ୍ତି ଉଠାଇଛି ଚୀନ୍। ତେବେ, ଚୀନ୍ ଆପତ୍ତି ଉଠାଇବାର କିଛି ଘଣ୍ଟା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଭାରତୀୟ ନେତାଙ୍କ ରାଜ୍ୟ ଗସ୍ତକୁ ଚୀନ୍ ବିରୋଧ କରିବାର କୌଣସି କାରଣ ନାହିଁ। ଏବଂ ଏହା ବେଜିଂର ବିରୋଧକୁ ପ୍ରତ୍ୟାଖ୍ୟାନ କରିଛି। ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଭାରତୀୟ ନେତାମାନେ ନିୟମିତ ଭାବରେ ଏହି ରାଜ୍ୟକୁ ଯାତ୍ରା କରନ୍ତି; ଯେପରି ସେମାନେ ଭାରତର ଅନ୍ୟ ରାଜ୍ୟକୁ କରିଥାନ୍ତି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ ଭାରତୀୟ ନେତାଙ୍କ ଏକ ଭାରତୀୟ ରାଜ୍ୟ ଗସ୍ତକୁ ଚୀନ୍ ବିରୋଧ କରିବା ସଂପୂର୍ଣ୍ଣ ଅପ୍ରାସଙ୍ଗିକ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗତ ଅକ୍ଟୋବର ୯ ତାରଖରେ ଅରୁଣାଚଳ ପ୍ରଦେଶ ଗସ୍ତ କରି ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଥିଲେ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚୀନ୍ ନିୟମିତ ଭାବରେ ଭାରତୀୟ ନେତାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରୁଛି। କାରଣ ଏହା ଭାରତର ଏହି ରାଜ୍ୟ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଛ ଚୀନ୍। ଉପରାଷ୍ଟ୍ରପତି ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଜୀନ୍ କମ୍ୟୁନିଷ୍ଟ ପାର୍ଟି ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଚୀନ୍ ଏହି ରାଜ୍ୟକୁ କଦାପି ସ୍ୱୀକୃତି ଦେଇ ନାହିଁ। ସେ କହିଛନ୍ତି ଯେ ଭାରତ ତଥାକଥିତ ଅରୁଣାଚଳ ପ୍ରଦେଶକୁ ବେଆଇନ ଭାବେ ସ୍ଥାପିତ କରିଛି ଏବଂ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ ଏହି ଅଞ୍ଚଳକୁ ଗସ୍ତକୁ ଚୀନ୍ ଦୃଢ଼ ବିରୋଧ କରୁଛି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଏହି ଅଞ୍ଚଳକୁ ଚୀନ୍ର ଜାଙ୍ଗନାନ କୁହାଯାଏ।