୧୯୬୨ରେ ଜମି ଦଖଲ କରିଛି ଚୀନ୍: ରାହୁଲ୍ ଗାନ୍ଧୀଙ୍କୁ ବିଦ୍ରୂପ କରି କହିଲେ ଜୟଶଙ୍କର
ପୁଣେ: ଚୀନ୍ ଜମି ଦଖଲ କରିଛି ବୋଲି ବିରୋଧୀ ଦଳ ନେତାମାନେ ଯାହା କହୁଛନ୍ତି ତାହା ଠିକ୍, କିନ୍ତୁ ୧୯୬୨ରେ ଚୀନ୍ ସେ ଜମି ଦଖଲ କରିଥିବା କଥା ଶନିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ବିଦ୍ରୂପ କରି କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ରାଜନୀତି ପାଇଁ ଭଲ ହେବ ନାହିଁ ବୋଲି ଚିନ୍ତା କରି କେତେକ ଲୋକ ଜାଣିଶୁଣି ଚୀନ୍ ସମସ୍ୟା ସଂକ୍ରାନ୍ତରେ ଭୁଲ୍ ସୂଚନା ପ୍ରସାର କରୁଛନ୍ତି। ଜମି ଦଖଲ ଘଟଣା ଅଳ୍ପ ଦିନ ପୂର୍ବେ ଘଟିଛି ବୋଲି ଧାରଣା ସୃଷ୍ଟି କରିବା ଲାଗି ସେମାନେ ଉଦ୍ୟମ କରୁଛନ୍ତି।
ଗତବର୍ଷ ରାହୁଲ୍ ଗାନ୍ଧୀ କହିଥିଲେ, ବିନା ଯୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅଞ୍ଚଳରୁ ୧୦୦ ବର୍ଗ କିଲୋମିଟର୍ ଚୀନ୍କୁ ଦେଇ ଦେଇଛନ୍ତି। ଚୀନ୍ ଅଧିକାରକୁ ଚାଲି ଯାଇଥିବା ଉକ୍ତ ଜମିକୁ କେମିତି ଫେରସ୍ତ ଅଣାଯିବ ସେ କଥା ମଧ୍ୟ ସେ ସରକାରଙ୍କୁ ପଚାରିଥିଲେ।

ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କ ସହିତ ନିକଟ ଅତୀତରେ ଭାବବିନିମୟ ବେଳେ ସାଂସଦ ରାହୁଲ୍ ଗାନ୍ଧୀ ପୁଣି କହିଥିଲେ ଯେ, ଚୀନ୍ ୨୦୦୦ ବର୍ଗ କିଲୋମିଟର୍ ଜମି ନେଇଯାଇଛି, କିନ୍ତୁ ଆମ ପ୍ରଧାନମନ୍ତ୍ରୀ କିଛି କହୁନାହାନ୍ତି।
କାହାରି ନାଁ ନ ଧରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଲେ, ବେଳେ ବେଳେ ସେମାନେ ୧୯୬୨ରେ ଚୀନ୍ ଅଧିକାର କରିଥିବା କିଛି ଜମି ବିଷୟରେ ଆଲୋଚନା କରନ୍ତି। କିନ୍ତୁ, ସେମାନେ ସତ କଥା କହିବେ ନାହିଁ। ସେମାନେ ଆପଣଙ୍କ ମନରେ ଜମି ଗତକାଲି ଦଖଲ ହେବା ପରି ଧାରଣା ଜନ୍ମାଇବେ।
ଏଭଳି ଲୋକେ (ରାଜନୈତିକ ଦଳର ନେତାମାନେ) ଜାଣିଶୁଣି ଚୀନ୍ ବିଷୟରେ ଭୁଲ୍ ଖବର ବା ସୂଚନା ବିସ୍ତାର କରୁଛନ୍ତି ବୋଲି ସେ କହିଛନ୍ତି।