ଚୀନ୍‌ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କୁ ଅନୁମତି ଦେବାକୁ ଘୋଷଣା କରି ପୁଣି ମନାକଲେ ଚୀନ୍‌ ସରକାର

ନୂଆଦିଲ୍ଲୀ: ଚୀନ୍‌ ପ୍ରସ୍ତୁତ କୋଭିଡ୍‌-୧୯ ଟିକା ନେଇଥିବା ଭରତୀୟଙ୍କୁ ଚୀନ୍‌ ଫେରିଯିବାକୁ ଅନୁମତି ଦେବା ପାଇଁ ଭିସା ବ୍ୟବସ୍ଥା ସ୍ୱାଭାବିକ କରିବା ଲାଗି ଘୋଷଣା କରିବା ପରେ ପୁଣି ଚୀନା ଦୂତାବାସ ତାହା ସ୍ଥଗିତ ରଖିବାକୁ ସ୍ଥିର କରିଛି।

ଅବଶ୍ୟ ପୂର୍ବରୁ ମଧ୍ୟ ଚୀନ୍‌ ଅନ୍ୟ ୧୯ଟି ଦେଶରେ ଏଭଳି ଘୋଷଣା କରିଥିଲା। ସୂଚନାଯୋଗ୍ୟ, ଚୀନ୍‌ ନିର୍ମିତ କୋଭିଡ୍‌-୧୯ ଟିକା ଉପଲବ୍ଧ ନ ଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ। ନିକଟ ଭବିଷ୍ୟତରେ ମଧ୍ୟ ଭାରତରେ ଚୀନ୍‌ ନିର୍ମିତ ଟିକା ମିଳିବାର କୌଣସି ପ୍ରସ୍ତାବ ନାହିଁ। କିନ୍ତୁ, କର୍ମସଂସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଚୀନ୍‌ ଫେରିଯିବାକୁ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କ ନିମନ୍ତେ ଚୀନ୍‌ ପ୍ରସ୍ତୁତ କୋଭିଡ୍‌-୧୯ ଟିକା ବାଧ୍ୟତାମୂଳକ କରାଯାଇଛି।

ଏକ ବିଜ୍ଞପ୍ତିରେ ଚୀନ୍‌ ଦୂତାବାସ କହିଥିଲା ଯେ, ଚୁକ୍ତିଭିତ୍ତିକ କର୍ମସଂସ୍ଥାନ, କାମ ଆରମ୍ଭ ଏବଂ ସେଭଳି ଅନ୍ୟ କୌଣସି କାର୍ଯ୍ୟକଳାପ ଆରମ୍ଭ କରିବା ଲାଗି ଚୀନ୍‌ ଫେରିବାକୁ ଇଚ୍ଛୁକ ବ୍ୟକ୍ତି ଓ ସେମାନଙ୍କ ପରିବାରର ସଦସ୍ୟମାନେ (ଚୀନା ଟିକାକରଣ ସାର୍ଟିଫିକେଟ୍‌ ଥିବା) ମହାମାରୀ ପୂର୍ବାବସ୍ଥାରେ ଥିବା ବ୍ୟବସ୍ଥା ଅନୁଯାୟୀ ଭାରତରେ ଥିବା ଚୀନ୍‌ ଦୂତାବାସ ଓ କନ୍‌ସୁଲେଟ୍‌ମାନଙ୍କରେ ଥିବା ଭିସା ସେବା କେନ୍ଦ୍ରରେ ଆବେଦନ କରିପାରିବେ। କିନ୍ତୁ, ପରେ ଏହି ଘୋଷଣାକୁ ପ୍ରତ୍ୟାହାର କରାଯାଇଥିବା ଶୁଣାଯାଉଛି।

Image Courtesy of Indiatimes.com

କିନ୍ତୁ, ଭାରତୀୟମାନେ ଭାରତରେ କିଭଳି ଚୀନ୍‌ ନିର୍ମିତ ଟିକା ପାଇବେ ତାହା ଚୀନ୍‌ ଦୂତାବାସ ସ୍ପଷ୍ଟ କରି ନ ଥିଲା। ‘ଚୀନ୍‌ର ରାଷ୍ଟ୍ରାୟତ ଖବରକାଗଜ ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ ଅନୁସାରେ ୨୦ଟି ଦେଶରେ ଚୀନ୍‌ ଏ ଭଳି ଘୋଷଣା କରିଛି।

ଏଭଳି ଘୋଷଣାର ପ୍ରାସଙ୍ଗିକତା ସଂକ୍ରାନ୍ତରେ ପଚରାଯିବାରୁ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି ଯେ, ଚୀନ୍‌ ନିର୍ମିତ ଟିକା ନିରାପଦ ଓ ଫଳପ୍ରଦ ବୋଲି ସବିଶେଷ ପରୀକ୍ଷଣରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ କି, ଚୀନ୍‌ରେ କାର୍ଯ୍ୟ କରୁଥିବା ଅନେକ ଭାରତୀୟ ଏବଂ ୨୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରଛାତ୍ରୀ ବିଶେକରି, ଡାକ୍ତରୀ ପଢୁଥିବା ବିଦ୍ୟାର୍ଥୀମାନେ ମହାମାରୀ ସଂକ୍ରମଣ ଯୋଗୁଁ ଗତବର୍ଷ ଭାରତକୁ ଫେରି ଆସିଥିଲେ। ସେମାନେ ପୁଣି ଚୀନ୍‌ ଫେରିଯିବା ଲାଗି ଭାରତୀୟ ଦୂତାବାସ ଯୋଗେ ଯେତେ ପ୍ରକାର ଉଦ୍ୟମ କଲେ ମଧ୍ୟ ଚୀନ୍‌ କୌଣସି ସକାରାତ୍ମକ ଉତ୍ତର ଦେଉନାହିଁ।

ସମ୍ବନ୍ଧିତ ଖବର