ଅରୁଣାଚଳରେ ଭାରତର ଟନେଲ ନିର୍ମାଣକୁ ଚୀନର ବିରୋଧ

ବେଜିଂ: ଚୀନ ସୀମାରେ ନିଜର ଭିତ୍ତିଭୂମିକୁ ସୁଦୃଢ କରିବାକୁ ଭାରତ ସରକାର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହି ଅଞ୍ଚଳର ସାମରିକଦୃଷ୍ଟିକୋଣରୁ ଗୁରୁତ୍ୱ ଥିବାରୁ ସରକାର ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣକୁ ତ୍ୱରାନ୍ଵିତ କରିଛନ୍ତି । ବିଶେଷକରି ଅରୁଣାଚଳ ପ୍ରଦେଶରେ ଭାରତ ଏକ ବୃହତ ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଏହାକୁ ଚୀନ ବିରୋଧ କରିବା ଆରମ୍ଭ କରିଛି ।

ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ପ୍ରକଳ୍ପ ନିର୍ମାଣ ସଂପର୍କରେ ଗତ ବଜେଟରେ ଘୋଷଣା କରିବା ପରେ ଚୀନର ସରକାର ସମର୍ଥିତ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ଏହାକୁ ବିରୋଧ କରି ଲେଖା ପ୍ରକାଶ ପାଇଛି । ଭାରତ ବିବାଦୀୟ ଅଞ୍ଚଳରେ ସ୍ଥିତାବସ୍ଥାକୁ ବଦଳେଇବାକୁ ଚେଷ୍ଟାକଲେ ଚୀନ ଚୁପ ହୋଇ ବସିରହିବ ନାହିଁ । ଚୀନ ମଧ୍ୟ ବିଭିନ୍ନ ଉପାୟରେ ଏହାର ଜବାବ ଦେବ । ଏଥିଲାଗି ଚୀନ ପାଖରେ ଅନେକ ବିକଳ୍ପ ରହିଛି । ସେଗୁଡିକ ହେଉଛି ଆର୍ଥିକ , ରାଜନୈତିକ ଓ ସାମରିକ ଉପାୟ । ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଲୋକମାନେ ଚୀନ ସାମଗ୍ରୀକୁ ଭଲ ପାଆନ୍ତି । ଏଣୁ ଚୀନ ନେପାଳ, ବାଂଲାଦେଶ ଓ ମ୍ୟାମାର ମାଧ୍ୟମରେ ଏସବୁ ରାଜ୍ୟଗୁଡ଼ିକୁ ଅଧିକରୁ ଅଧିକ ସାମଗ୍ରୀ ପଠାଯିବ, ଯଦ୍ୱାରା ଭାରତ ସରକାରଙ୍କ ଉପରେ ଚାପ ପଡିବ ବୋଲି ଗ୍ଲୋବାଲ ଟାଇମ୍ସ କହିଛି ।

ସୂଚନାଯୋଗ୍ୟ ଯେ ସରକାରଙ୍କ ଯୋଜନା ମୁତାବକ ଅରୁଣାଚଳ ପ୍ରଦେଶରେ ସମୁଦ୍ରପତନଠାରୁ ୧୩,୭୦୦ ଫୁଟ ଉଚ୍ଚତାରେ ଏକ ଗୋପନ ଟନେଲ ନିର୍ମାଣ କରାଯିବ । ଏହି ଟନେଲଟିର ନାଁ ହେଉଛି ସିଲା ପାସ୍‌ । ଏହାକୁ ଅରୁଣାଚଳପ୍ରଦେଶର ତଓ୍ଵାଙ୍ଗଠାରୁ ପଶ୍ଚିମ କାମେଙ୍ଗ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ଟନେଲଟିର ଲମ୍ବ ହେବ ପ୍ରାୟ ଦେଢଶହ କିଲୋମିଟର । ଏହା ସମ୍ପୂର୍ଣ୍ଣ ହେଲେ ଭାରତୀୟ ସେନାର ଓଜନିଆ ଯୁଦ୍ଧଯାନ ସହଜରେ ଯାଇପାରିବ ।

ସମ୍ବନ୍ଧିତ ଖବର