ଦକ୍ଷିଣ ଚୀନ ସାଗରରେ ଭାରତର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ : ଚୀନ

ବେଜିଂ: ଦକ୍ଷିଣ ଚୀନ ସାଗରରେ ମିଳିତଭାବେ ତୈଳ ଓ ଗ୍ୟାସ ସନ୍ଧାନ ଲାଗି ଭିଏତନାମ ପକ୍ଷରୁ ଭାରତକୁ ଆମନ୍ତ୍ରଣ କରାଯାଇଥିବାବେଳେ ତାହାକୁ ବିରୋଧ କରିଛି ଚୀନ । ଏପରି ବିବାଦୀୟ ଅଂଚଳରେ ଅନ୍ୟ କୌଣସି ତୃତୀୟ ପକ୍ଷ ରାଷ୍ଟ୍ରର ଅନୁପ୍ରବେଶକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ ସରକାର କହିଛନ୍ତି ।

ନିକଟରେ ନୂଆଦିଲ୍ଲୀରେ ଅବସ୍ଥାପିତ ଭିଏତନାମ ରାଷ୍ଟ୍ରଦୂତ ତନ ସିନ୍‌ ଥାନ୍‌ କହିଥିଲେ ଯେ ଦକ୍ଷିଣ ଚୀନ ସାଗରରେ ତୈଳ ଓ ଗ୍ୟାସ ସନ୍ଧାନ ପାଇଁ ତାଙ୍କ ଦେଶ ଭାରତକୁ ଆମନ୍ତ୍ରଣ କରିବ । ଆହୁରି ମଧ୍ୟ ସେ କହିଥିଲେ ଯେପ୍ରତିରକ୍ଷା କ୍ଷେତ୍ରରେ ଭାରତ ସହ ଭିଏତନାମର ଉତ୍ତମ ସହଯୋଗ ରହିଛି । ଭିଏତନାମର ପ୍ରତିରକ୍ଷା କ୍ଷମତା ବଢାଇବାରେ ଭାରତ ସହାୟକ ହୋଇପାରିବ । ପୂର୍ବରୁ ମଧ୍ୟ ଭାରତର ରାଷ୍ଟ୍ରାୟତ କମ୍ପାନି ଓଏନଜିସି ବିଦେଶ ମାଧ୍ୟମରେ ଏ ଅଂଚଳରେ ସନ୍ଧାନ କାର୍ଯ୍ୟ କରୁଛି ।

କିନ୍ତୁ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛି ଚୀନ । ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଂ କହିଛନ୍ତି ଯେ କୌଣସି ଦେଶ ନିଜର ଦ୍ୱିପାକ୍ଷିକ ସଂପର୍କ ବଢାଇବାରେ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ଏକ ବିବାଦୀୟ କ୍ଷେତ୍ରରେ କୌଣସି ତୃତୀୟ ଦେଶର ଉପସ୍ଥିତିକୁ ଆମେ ବିରୋଧ କରିବୁ ।

ସୂଚନାଯୋଗ୍ୟ ଯେ ସମଗ୍ର ଦକ୍ଷିଣ ଚୀନ ସାଗରକୁ ଚୀନ ନିଜର ଅଂଚଳ ବୋଲି ଦାବି କରୁଛି । ଏହି ସାଗର ଦେଇ ଅନ୍ୟ କୌଣସି ଦେଶର କାର୍ଯ୍ୟକଳାପକୁ ମଧ୍ୟ ଚୀନ ବିରୋଧ କରୁଛି । ଅନ୍ୟପକ୍ଷରେ ଦକ୍ଷିଣଚୀନ ସାଗର କୂଳରେ ଥିବା ଭିଏତନାମ, ବ୍ରୁନେଇ, ଫିଲିପାଇନ୍ସ, ମାଲେସିଆ ଓ ତାଇଓ୍ଵାନ ମଧ୍ୟ ଏହି ଅଂଚଳର କିଛି ଅଂଶକୁ ନିଜର ବୋଲି ଦାବି କରୁଛନ୍ତି ।

ସମ୍ବନ୍ଧିତ ଖବର