ନୂଆଦିଲ୍ଲୀ : ଭାରତ ଚଳିତ ବର୍ଷ ଜି-୨୦ର ସଭାପତି ଥିବାବେଳେ ଭାରତରେ ଜି-୨୦ର ବିଭିନ୍ନ ସମ୍ମିଳନୀମାନ ଆୟୋଜନ କରାଯାଉଛି । ତେବେ ଚୀନ କେତେକ କ୍ଷେତ୍ରରେ ବାରମ୍ବାର ପ୍ରତିବନ୍ଧକ ସୃଷ୍ଟି କରିବାରେ ଲାଗିଛି । ପୂର୍ବରୁ ଚୀନ କଶ୍ମୀରରେ ହୋଇଥିବା ଜି-୨୦ ବୈଠକକୁ ବର୍ଜନ କରିଥିବାବେଳେ ଏବେ ଆଉ ଏକ ପ୍ରସଙ୍ଗ ଉଠାଇ ଭାରତକୁ ଅପଦସ୍ଥ କରିବାକୁ ଉଦ୍ୟମ କରୁଛି ।

Advertisment

ଜି-୨୦ର ଲୋଗୋ ଓ ବିଭିନ୍ନ କାଗଜପତ୍ରରେ ‘ବସୁଧୈବ କୁଟୁମ୍ବକମ୍’ ଉଲ୍ଲେଖ ରହିବାକୁ ବିରୋଧ କରୁଛି ଚୀନ । ଚୀନ ପକ୍ଷରୁ କୁହାଯାଇଛି ଯେ ସଂସ୍କୃତ ଜାତିସଂଘର ୬ଟି ଅଫିସିଆଲ ଭାଷା (ଇଂରାଜୀ, ଫରାସୀ, ଆରବୀ, ମାଣ୍ଡାରିନ, ଋଷୀୟ ଓ ସ୍ପାନିସ୍ ) ମଧ୍ୟରେ ନାହିଁ । ‘ବସୁଧୈବ କୁଟୁମ୍ବକମ୍’ ସଂସ୍କୃତରେ ଥିବାରୁ ତାହାକୁ ଲେଖାଯାଇପାରିବ ନାହିଁ । ଏ ପ୍ରସଙ୍ଗରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ତେବେ ଏହି ପ୍ରସଙ୍ଗରେ ଜି-୨୦ର ଅନ୍ୟ ଦେଶମାନେ ଭାରତ ସମର୍ଥନରେ ଛିଡ଼ା ହୋଇଛନ୍ତି । କେତେକ ଦେଶ କହିଛନ୍ତି ଯେ ଜି-୨୦ର ଥିମ୍ ଚୟନ କରିବା ଆୟୋଜକ ଦେଶର ବିଶେଷାଧିକାର ଅନ୍ତର୍ଭୁକ୍ତ । ଏଣୁ ଭାରତ ଏପରି କରିପାରିବ । ଏହା ସତ୍ତ୍ବେ ଚୀନ ନିଜର ଆପତ୍ତି ଜାରି ରଖିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜି-୨୦ ବୈଠକର ସମାପନ କାଗଜପତ୍ରରେ ବସୁଧୈବ କୁଟୁମ୍ବକମ ବଦଳରେ ଇଂରାଜୀରେ ‘ଓ୍ବାନ ଆର୍ଥ, ଓ୍ବାନ ଫାମିଲି, ଓ୍ବାନ ଫ୍ୟୁଚର’ ଲେଖାଯାଇଛି ।