ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ କରିବାକୁ ଚୀନ ସରକାର ସେନାକୁ ନିର୍ଦ୍ଦେଶ ଦେଇଥିଲେ : ଗୁଇନ୍ଦା ରିପୋର୍ଟ

ଓ୍ଵାସିଂଟନ : ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଗତ ଜୁନ ୧୫ ତାରିଖ ରାତିରେ ହୋଇଥିବା ସଂଘର୍ଷକୁ ଦୁଇ ଦେଶ ପରସ୍ପର ଉପରେ ଦୋଷ ଲଦୁଥିବାବେଳେ ଆମେରିକାର ଗୁଇନ୍ଦା ସଂସ୍ଥା ଏକ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି । ଏହା ଦ୍ୱାରା ଚୀନର ଅସଲ ସ୍ୱରୁପ ଧରାପଡ଼ିଯାଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଯବାନମାନଙ୍କ ଉପରେ ଆକ୍ରମଣ କରିବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ । ଏ ଘଟଣାରେ କେତେଜଣ ଚୀନ ଯବାନ ନିହତ ହୋଇଛନ୍ତି ସେ ସଂପର୍କରେ ଚୀନ ସରକାର ମୁହଁ ଖୋଲୁନଥିବାବେଳେ ଏହି ରିପୋର୍ଟରେ କିନ୍ତୁ ଚୀନ ସତ ଲୁଚାଉଛି ବୋଲି କୁହାଯାଇଛି । ଉକ୍ତ ସଂଘର୍ଷରେ ଚୀନ ପକ୍ଷର ବି ଯବାନ ମୃତାହତ ହୋଇଛନ୍ତି ବୋଲି ଏହି ଗୁଇନ୍ଦା ରିପୋର୍ଟ କହିଛି ।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ଚୀନ ପକ୍ଷର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ତଥ୍ୟ ପ୍ରକାଶ କରୁନାହିଁ ।
କେତେକ ରିପୋର୍ଟରେ ଚୀନର ୪୦ରୁ ଅଧିକ ଯବାନ ନିହତ ହୋଇଥିବା କୁହାଯାଇଥିଲେ ମଧ୍ୟ ତାହା ମିଥ୍ୟା ବୋଲି ଚୀନ ଆଜି କହିଛି । ତେବେ ଚୀନ ଜାଣିଶୁଣି ତଥ୍ୟ ଲୁଚାଉଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।

ସମ୍ବନ୍ଧିତ ଖବର