ବେଜିଂ: ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ନିକଟରେ ଭାରତ-ପାକିସ୍ତାନ ଓ ଚୀନ୍ ମଧ୍ୟରେ ତ୍ରିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରାଯିବାକୁ ପ୍ରସ୍ତାବ ଦେଇଥିବାରୁ ଭାରତ ଏହାର ଜୋର୍ଦାର ବିରୋଧ କରିଛି। ଭାରତର ବିରୋଧ ପରେ ଚୀନ୍ ଏହି ପ୍ରସ୍ତାବରୁ ଓହରିଛି। ପୂର୍ବରୁ ଭାରତରେ ଅବସ୍ଥାପିତ କୌଣସି ଚୀନ୍ ରାଷ୍ଟ୍ରଦୂତ ପାକିସ୍ତାନ ସହିତ ଏଭଳି ଖୋଲାଖୋଲି ଆଲୋଚନା ପ୍ରସ୍ତାବ ଦେଇନଥିବା ବେଳେ ବର୍ତ୍ତମାନର ରାଷ୍ଟ୍ରଦୂତଙ୍କ ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ଭାରତ ଚୀନ୍କୁ ଶୁଣାଇ ଦେଇଛି । ପାକିସ୍ତାନ ସହିତ କୌଣସି ପ୍ରସଙ୍ଗରେ ବି କଥାବାର୍ତ୍ତା ପାଇଁ ତୃତୀୟ ପକ୍ଷର ଭୂମିକାକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ଆସିଥିଲେ ମଧ୍ୟ ଚୀନ୍ ନିଜର ଦାଦାଗିରି ସାବ୍ୟସ୍ତ କରିବାକୁ ଏଭଳି ବୟାନ ଦେଇଥିବା କୁହାଯାଉଛି । ତେବେ ଭାରତର କଡ଼ା ବିରୋଧ ପରେ ଚୀନ୍ ସରକାର କହିଛନ୍ତି ଯେ ପରସ୍ପର ମଧ୍ୟରେ ବିଶ୍ୱାସ ସୃଷ୍ଟିକାରୀ ପ୍ରୟାସକୁ ଆଗକୁ ବଢ଼ାଇବା ନିମନ୍ତେ ଏହା କେବଳ ଏକ ପ୍ରସ୍ତାବ ଥିଲ ଏବଂ ଏହା ଭାରତର ନିଷ୍ପତ୍ତି ଉପରେ ହିଁ ଏହା ନିର୍ଭର କରୁଛି। ପାକିସ୍ତାନ ଓ ଭାରତ ମଧ୍ୟରେ ମଧ୍ୟସ୍ଥତା କରି ଚୀନ୍ ନିଜର ବାଣିଜ୍ୟିକ କାରବାର ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି। ନିକଟରେ ଚୀନ୍ ରାଷ୍ଟ୍ରଦୂତ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ଚୀନ୍ ଏବଂ ଭାରତ ଏବେ ଡୋକଲାମ ଭଳି ଦ୍ୱିତୀୟ ବିବାଦକୁ ବରଦାସ୍ତ କରିପାରିବେ ନାହିଁ। ତେଣୁ ସୀମାରେ ଶାନ୍ତି ପାଇଁ ମିଳିତ ପ୍ରୟାସ ହେବା ଆବଶ୍ୟକ। ଏହି ଅବସରରେ ସେ ପାକିସ୍ତାନ ସହିତ ତ୍ରିପାକ୍ଷିକ ଆଲୋଚନା ପ୍ରସ୍ତାବ ଦେଇଥିଲେ। ଏଥିରେ ଭାରତର ବିଦେଶ ମନ୍ତ୍ରାଳୟ ତୁରନ୍ତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା। ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ସଂପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ କଦାପି ଗ୍ରହଣ କରାଯିବ ନାହିଁ। ତେବେ ଏଭଳି ବୟାନକୁ ଭାରତ ଚୀନ୍ ରାଷ୍ଟ୍ରଦୂତଙ୍କ ନିଜସ୍ୱ ବୟାନ ବୋଲି କହିଥିଲା। ଚୀନ୍-ପାକିସ୍ତାନ ଆର୍ଥିକ କରିଡରକୁ ଭାରତ ଦୃଢ଼ ବିରୋଧ କରୁଥିବାରୁ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ରେ ଏବେ ଚୀନ୍ର ଅଡ଼ୁଆ ବଢ଼ିଛି। ତେଣୁ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ନିଜର ପ୍ରଭୁତ୍ୱ ବିସ୍ତାର ପାଇଁ ଚୀନ୍ ଏବେ ନୂଆ ନୂଆ ଚାଲ୍ ଖେଳୁଛି ।
ପାକିସ୍ତାନ ସହିତ ତ୍ରିପାକ୍ଷିକ ଆଲୋଚନା ପ୍ରସ୍ତାବରୁ ଓହରିଲା ଚୀନ୍
/sambad/media/post_attachments/wp-content/uploads/2018/06/india-china-flag1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)