ଭାରତ ଅପେକ୍ଷା ଚୀନ୍ ଓ ପାକିସ୍ତାନ ପାଖରେ ଅଧିକ ଆଣବିକ ଅସ୍ତ୍ର ରହିଛି: ‘ଏସ୍ଆଇପିଆର୍‌ଆଇ’

ନୂଆଦିଲ୍ଲୀ: ଭାରତ ଅପେକ୍ଷା ଚୀନ୍ ଓ ପାକିସ୍ତାନ ନିକଟରେ ଅଧିକ ଆଣବିକ ଅସ୍ତ୍ର ଅଛି ବୋଲି ସୋମବାର ଦିନ ପ୍ରକାଶିତ ହୋଇଥିବା ଯୁଦ୍ଧ ଓ ଅସ୍ତ୍ରଶସ୍ତ୍ର ଉପରେ ଗବେଷଣା କରୁଥିବା  ଅଗ୍ରଣୀ ସଂଗଠନ ‘ଷ୍ଟକ୍‌ହୋମ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ପିସ୍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍’ର ନୂତନ ବାର୍ଷିକ ପୁସ୍ତକରେ ଉଲ୍ଲେଖ କରାଯାଇଛି।

ଏହାର ବାର୍ଷିକ ପୁସ୍ତକ ବା ‘ଇୟର୍‌ବୁକ୍ ୨୦୨୦’ରେ ଉଲ୍ଲେଖ ଅଛି ଯେ, ଚୀନ୍‌ ଅସ୍ତ୍ରାଗାରରେ ୩୨୦ଟି ନ୍ୟୁକ୍ଲିୟର୍ ୱାର୍‌ହେଡ୍ ଥିବାବେଳେ ପାକିସ୍ତାନ ଓ ଭାରତ ପାଖରେ ଯଥାକ୍ରମେ ୧୬୦ ଏବଂ ୧୫୦ଟି ଆଣବିକ ଅସ୍ତ୍ର ବା ନ୍ୟୁକ୍ଲିୟର୍ ୱାର୍‌ହେଡ୍ ରହିଛି।

ଜାନୁଆରି ୨୦୨୦ ସୁଦ୍ଧା ହୋଇଥିବା ଆକଳନ ଆଧାରରେ ଏ କଥା ଉକ୍ତ ପୁସ୍ତକରେ ଉଲ୍ଲେଖ କରାଯାଇଛି।

Image Courtesy of Modern Diplomacy

‘ଷ୍ଟକ୍‌ହୋମ୍ ଇଣ୍ଟର୍‌ନ୍ୟାସ୍‌ନାଲ୍ ପିସ୍ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍’ ଗତବର୍ଷ ମଧ୍ୟ ଭାରତ ଏବଂ ତା’ର ପଡ଼ୋଶୀମାନଙ୍କୁ ଏହି କ୍ରମରେ ରଖିଥିଲା। ସେତେବେଳେ ଚୀନ୍‌ ପାଖରେ ୨୯୦ଟି ନ୍ୟୁକ୍ଲିୟର୍ ୱାର୍‌ହେଡ୍ ଥିବାବେଳେ ପାକିସ୍ତାନ ଓ ଭାରତ ପାଖରେ ଯଥାକ୍ରମେ ୧୫୦ ଓ ୧୬୦ ନ୍ୟୁକ୍ଲିୟର୍ ୱାର୍‌ହେଡ୍ ଥିଲା।

ସମ୍ପ୍ରତି ଆମେରିକା ପାଖରେ ୬, ୩୭୫ଟି ଓ ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ୫, ୮୦୦ଟି ନ୍ୟୁକ୍ଲିୟର୍ ୱାର୍‌ହେଡ୍ ରହିଛି। ଏ ଦୁଇ ଦେଶଙ୍କ ପାଖରେ ଥିବା ନ୍ୟୁକ୍ଲିୟର୍ ୱାର୍‌ହେଡ୍ ହେଉଛି ବିଶ୍ବ ଆଣବିକ ଅସ୍ତ୍ରଶସ୍ତ୍ରର ୯୦%ରୁ ଅଧିକ।

ଏହି ପୁସ୍ତକରେ ଆହୁରି ଉଲ୍ଲେଖ ଅଛି ଯେ, ୨୦୧୯ରେ ଆଣବିକ ଅସ୍ତ୍ରାଧିକାରୀ ଦେଶମାନଙ୍କର ନ୍ୟୁକ୍ଲିୟର୍ ୱାର୍‌ହେଡ୍ ସଂଖ୍ୟା ମୋଟ୍ ଉପରେ ହ୍ରାସ ପାଇଥିଲେ ବି ସେମାନେ ଆଣବିକ ଅସ୍ତ୍ରଶସ୍ତ୍ର ସବୁର ଆଧୁନିକିକରଣ କରୁଥିଲେ।

ବିଶ୍ବର ଅଗ୍ରଣୀ ନଅଟି ଆଣବିକ ଅସ୍ତ୍ର ଅଧିକାରୀ ଦେଶ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍, ଇଂଲଣ୍ଡ୍, ଫ୍ରାନ୍ସ, ଚୀନ୍, ଭାରତ, ପାକିସ୍ତାନ, ଇସ୍ରାଏଲ୍ ଏବଂ ଉତ୍ତର କୋରିଆ। ଜାନୁଆରି ୨୦୨୦ ଆକଳନ ଅନୁସାରେ ସମସ୍ତଙ୍କ ପାଖରେ ଥିବା ନ୍ୟୁକ୍ଲିୟର୍ ୱାର୍‌ହେଡ୍ ସଂଖ୍ୟା ମିଶି ୧୩, ୪୦୦।

ସମ୍ବନ୍ଧିତ ଖବର