ଏଲଏସି ନିକଟରେ ସଡ଼କ ନିର୍ମାଣ କରିବାକୁ ଚୀନର ଚକ୍ରାନ୍ତ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ବିବାଦ ଜାରି ରହିଥିବାବେଳେ ଚୀନର ଆଉ ଏକ ଷଡ଼ଯନ୍ତ୍ର କଥା ସାମନାକୁ ଆସିଛି । ଏଲଏସି ନିକଟରେ ଏକ ସୁଦୀର୍ଘ ସଡ଼କ ନିର୍ମାଣ କରିବାକୁ ଯୋଜନା କରୁଛି ଚୀନ । ଏହାର ନାଁ ରଖାଯାଇଛି ଜି୬୯୫ । ଏହି ସଡ଼କଟି ତିବ୍ବତର ଲୁଞ୍ଜକୁ ସିଜିଆନର ମାଝା ସହ ଯୋଡ଼ିବ ବୋଲି ସାଉଥ ଚାଇନ ମର୍ଣ୍ଣିଂ ପୋଷ୍ଟ ରିପୋର୍ଟରେ କୁହାଯାଇଛି ।
ଏହି ସଡ଼କ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଛି । କାରଣ ଏହାକୁ ବ୍ୟବହାର କରି ଚୀନର ସୈନ୍ୟ ସହରରେ ଏଲଏସି ନିକଟକୁ ଆସିପାରିବେ । ଆହୁରି ଚିନ୍ତାର କାରଣ ହେଉଛି ଭାରତ ଓ ଚୀନ ମଧ୍ୟ ଗତ କିଛି ବର୍ଷ ବିବାଦର କେନ୍ଦ୍ରରେ ଥିବା ଗଲଓ୍ବାନ, ଦେବସାଙ୍ଗ ଉପତ୍ୟାକା, ହଟସ୍ପ୍ରିଙ୍ଗ ଅଂଚଳ ଦେଇ ଯିବାର ସମ୍ଭାବନା ରହିଛି । ନେପାଳ ଓ ସିକ୍କିମର କିଛି ଅଂଶ ଦେଇ ମଧ୍ୟ ଏହା ଯିବାର ଆଶଙ୍କା କରାଯାଉଛି ।

ଗତକାଲି ଏକ ରିପୋର୍ଟ ଆସିଥିଲା ଯେ ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନ ଏକ ବଡ଼ ଗ୍ରାମ ନିର୍ମାଣ କରିଛି । ଉପଗ୍ରହ ଚିତ୍ରରୁ ଏ ନେଇ ସ୍ଥିତି ସ୍ପଷ୍ଟ ହୋଇଛି । ଏହି ଗ୍ରାମରେ ଚୀନ ନିଜର ଲୋକମାନଙ୍କୁ ଆଣି ବସବାସ କରାଇଛି । ଉପଗ୍ରହ ଚିତ୍ରରୁ ପ୍ରତି ଘର ଆଗରେ କାର ଥିବା ଦେଖାଯାଉଛି । ଏହି ଗ୍ରାମକୁ ଚୀନ ପାଙ୍ଗଡା ନାମ ଦେଇଥିବାବେଳେ ତାହା ସଂପୂର୍ଣ୍ଣ ଭାବେ ଭୁଟାନ ଅଂଚଳ ମଧ୍ୟରେ ରହିଛି । ଏହା ଭାରତର ସିଲିଗୁଡି କରିଡରର ନିକଟରେ ଥିବାରୁ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।

 

ସମ୍ବନ୍ଧିତ ଖବର