ମାଲେ: ମାଳଦ୍ୱୀପରେ ମହମ୍ମଦ ମୁଇଜ୍ଜୁ କ୍ଷମତାକୁ ଆସିବା ପରେ ଚୀନର ସକ୍ରିୟତା ବୃଦ୍ଧି ପାଇଛି। ଚୀନ ମାଳଦ୍ବୀପରେ ଏକ ନୌସେନା ଘାଟି ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି ।

Advertisment

ମାଳଦ୍ୱୀପରେ ଏକ ନୌସେନା ଘାଟି ଏବଂ ରାଡାର ଷ୍ଟେସନ ସ୍ଥାପନ କରିବାକୁ ଚୀନ ଚେଷ୍ଟା କରୁଛି । ଏଥିପାଇଁ ଅବଦୁଲ୍ଲା ୟାମିନଙ୍କ ଶାସନ କାଳରେ ଏକ ଦ୍ୱୀପକୁ ୯୯ ବର୍ଷ ପାଇଁ ଲିଜ୍ ରେ ନେଇଥିଲା ଚୀନ୍ । ଭାରତ ସମର୍ଥକ ଇବ୍ରାହିମ ମହମ୍ମଦ ସୋଲିହଙ୍କ ଶାସନ କାଳରେ ଚୀନକୁ ଏହି ଦ୍ୱୀପରେ ସାମରିକ କାର୍ଯ୍ୟକଳାପ ଆରମ୍ଭ କରିବାର ସୁଯୋଗ ମିଳିନଥିଲା, କିନ୍ତୁ ମୁଇଜୁ ରାଷ୍ଟ୍ରପତି ହେବା ମାତ୍ରେ ଏହି ଦ୍ୱୀପ ପୁଣି ଥରେ ଚର୍ଚ୍ଚାକୁ ଆସିଛି ।

ମାଳଦ୍ବୀପର ମୁଖ୍ୟ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମ୍ଡିପି)ର ଅଧ୍ୟକ୍ଷ ଫୟାଜ୍ ଇସ୍ମାଇଲ୍ ଅଭିଯୋଗ କରିଛନ୍ତି ଯେ ମୁଇଜୁ ସରକାର ଉଥୁରୁ ଥିଲା ଫାଲହୁ ଦ୍ୱୀପରେ କୃଷି କାର୍ଯ୍ୟକଳାପ ଆଳରେ ସାମରିକ ଭିତ୍ତିଭୂମି ବିକଶିତ କରିବାକୁ ଏକ ଚୀନ୍ କମ୍ପାନୀକୁ ଅନୁମତି ଦେଇଛନ୍ତି।

ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ଆୟୋଜିତ ଏମଡିପିର ଏକ ରାଲିରେ ଫୟାଜ ଏହି ଅଭିଯୋଗ ଆଣିଛନ୍ତି । କୃଷି ପାଇଁ ଅନୁପଯୁକ୍ତ ପଥୁରିଆ ଜମିରେ ଚାଷ କରିବାର ପ୍ରୟାସ କୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ମାଳଦ୍ୱୀପରେ କୃଷି ଉଦ୍ଦେଶ୍ୟରେ ପୂର୍ବରୁ ବିପୁଳ ଜମି ରହିଛି। ଏଭଳି ପରିସ୍ଥିତିରେ ଚୀନ୍ କମ୍ପାନିକୁ କାହିଁକି ପଥୁରିଆ ଜମିରେ ଚାଷ କରିବାକୁ ଅନୁମତି ଦିଆଯାଉଛି?