ଚୀନ୍‌ର ବ୍ଲେମ୍‌ଗେମ୍‌: ନିଜ ସୈନିକଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉନି, ଭାରତ ଉପରେ ଦୋଷ ଲଦୁଛି

ବେଜିଂ: ଷଡ଼ଯନ୍ତ୍ରକାରୀ ଚୀନ୍‌ ଏଲ୍‌ଏସିରେ ଘଟିଥିବା ଯୁଦ୍ଧ ସ୍ଥିତି ପାଇଁ ଭାରତକୁ ଦାୟୀ କରିଛି। ଭାରତ ପ୍ରଥମେ ଚୀନ୍‌ ସୀମା ଅତିକ୍ରମ କରିଥିଲା ଏବଂ ଏହାର ସୈନ୍ୟଦଳଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ଚୀନ୍‌ ଦାବି କରିଛି ଏବଂ ବ୍ଲେମ୍‌ଗେମ୍‌ ଜାରି ରଖିଛି। ଉଭୟ ଭାରତ ଏବଂ ଚୀନ୍‌ ସୈନ୍ୟଦଳଙ୍କ ମଧ୍ୟରେ ଗୁଳି ନଫୁଟି କେବଳ ପଥର ମାଡ଼ ଏବଂ ରଡ୍‌ରେ ଆକ୍ରମଣ ହୋଇଥିଲା ବୋଲି ଚୀନ୍‌ କହିଛି। ଚୀନ୍‌ର କିଛି ସୈନିକ ଗତ ସୋମବାର ରାତିରେ ଘଟିଥିବା ସଂଘର୍ଷରେ ପ୍ରାଣ ହାରିଥିଲେ। ଏହା ଚୀନ୍‌ ସ୍ବୀକାର କରିଛି। କିନ୍ତୁ ଚୀନ୍‌ ଏହାର କେତେ ସଂଖ୍ୟକ ସୈନିକଙ୍କୁ ହରାଇଛି ସେନେଇ ସମ୍ପୂର୍ଣ୍ଣ ନିରବ ରହିଛି। ପିଏଲ୍‌ଏ ମୁଖପାତ୍ର କହିଛନ୍ତି , ଉଭୟ ପକ୍ଷ ମଧ୍ୟରେ ପ୍ରବଳ ସଂଘର୍ଷ ଉପୁଜିଥିଲା। ଚୀନ୍‌ର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍ସ’ର ଜଣେ ଶୀର୍ଷ ସମ୍ପାଦକ ମଧ୍ୟ ଚୀନ୍‌ ସୈନିକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ଉଭୟ ସଂଖ୍ୟାକୁ ନେଇ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ଗୋଟିଏ ପଟେ ଚୀନ୍‌ ଏହାର ମୃତ ସୈନିକଙ୍କ ସଂଖ୍ୟାକୁ ନେଇ ନିରବ ରହିଥିବାବେଳେ ଅନ୍ୟପକ୍ଷେ ଏହା ଭାରତ ଉପରେ ଦୋଷ ଲଦିଛି। ଚୀନ୍‌ ବ୍ଲେମ୍‌ଗେମ୍‌ ଆରମ୍ଭ କରିଦେଇଛି। କିନ୍ତୁ ଭାରତ ପକ୍ଷରୁ କୁହାଯାଇଛି ଯେ, ଭାରତର ପାଲଟା ଆକ୍ରମଣରେ ଚୀନ୍‌ର ୪୩ରୁ ଅଧିକ ସୈନିକ ମୃତାହତ ହୋଇଛନ୍ତି। ‌

ଚୀନ୍‌ର ପଶ୍ଚିମ କମାଣ୍ଡ୍‌ ମୁଖପାତ୍ର ଝାଙ୍ଗ୍‌ ଶୁଇଲି କହିଛନ୍ତି, ଉଭୟ ଭାରତ ଏବଂ ଚୀନ୍‌ ମଧ୍ୟରେ ଅତି ଭୟାନକ ସ୍ଥିତି ଉପୁଜିଥିଲା। ସେ ଦାବି କରିଛନ୍ତି ଯେ , ଗଲ୍‌ୱାନ୍‌ ଘାଟି ଅଞ୍ଚଳ ଚୀନ୍‌ର। ଭାରତୀୟ ସୈନ୍ୟଦଳ ଚୀନ୍‌ ପାର୍ଶ୍ବରେ ବେଆଇନ କାର୍ଯ୍ୟକଳାପ କରିଛନ୍ତି ଏବଂ ଭାରତ ସୀମା ପ୍ରସଙ୍ଗରେ ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଉକ୍ତ ମୁଖପାତ୍ର ଅଭିଯୋଗ କରିଛନ୍ତି। ତେବେ ଗ୍ଲୋବାଲ୍‌ ଟାଇମ୍ସ ସମ୍ପାଦକ ହୁ ଜିନ୍‌ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ଏକ ମହତ୍‌ ଉଦ୍ଦେଶ୍ୟ ରଖି ଚୀନ୍‌ ଏହାର ‌କେତେ ସଂଖ୍ୟକ ସୈନିକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରିନି। ଏହାଦ୍ବାରା ଦୁଇ ଦେଶର ଲୋକ ମୃତ୍ୟୁସଂଖ୍ୟାକୁ ନେଇ ତୁଳନା କରିବେ ଏବଂ ଅତି ଜଟିଳ ସ୍ଥିତି ଉପୁଯିବ। ତେଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବାପାଇଁ ଚୀନ୍‌ ସଂଖ୍ୟାକୁ ନେଇ ନିରବ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର