ଏଲଏସିରେ ଲମ୍ବା ସମୟ ଧରି ରହିବାକୁ ଚୀନ ସେନାର ଯୋଜନା, ନିର୍ମାଣ କରୁଛି ସ୍ଥାୟୀ ଶିବିର

ନୂଆଦିଲ୍ଲୀ : ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଏକ ଲମ୍ବା ସମୟ ଧରି ରହିବାକୁ ଚୀନ ସେନା ଯୋଜନା କରୁଛି । ଏଥିପାଇଁ ଚୀନ ଏଲଏସି ଓ ଅନ୍ତର୍ଜାତୀୟ ସୀମା ନିକଟରେ ସ୍ଥାୟୀ ସେନା ଶିବିରମାନ ନିର୍ମାଣ କରୁଛି ।

ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଚୀନ ପୂର୍ବ ଲଦାଖ୍, ଉତ୍ତର ସିକ୍କିମର ନାକୁ-ଲା, ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚୀନ କଂକ୍ରିଟ୍ ଶିବିରମାନ ନିର୍ମାଣ କରୁଛି । ଚୀନ ସେନା ବା ପିଏଲଏର ଯବାନମାନେ ଏସବୁ ଶିବିରଗୁଡ଼ିକରେ ସ୍ଥାୟୀ ଭାବେ ରହିବେ । ଏହା ଫଳରେ ବିବାଦୀୟ ସ୍ଥାନଗୁଡିକରେ ସଂଘର୍ଷ ହେଲେ ସେଠାକୁ ଅଳ୍ପ ସମୟରେ ଅଧିକ ସୈନ୍ୟ ପହଞ୍ଚି ପାରିବେ।

ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକର ପ୍ରତିକୂଳ ପରିସ୍ଥିତି ସହ ଚୀନ ସୈନିକମାନେ ସହଜରେ ଖାପ ଖୁଆଇପାରୁନାହାନ୍ତି । କିନ୍ତୁ ସ୍ଥାୟୀ ଶିବିର ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଚୀନ ସୈନିକମାନେ ସେଠାରେ ସହଜରେ ରହିପାରିବେ ଓ ଆବଶ୍ୟକ ପଡ଼ିଲେ ବିବାଦୀୟ ଅଞ୍ଚଳଗୁଡ଼ିକୁ ଶୀଘ୍ର ଯାଇପାରିବେ । କେବଳ ଏତିକି ନୁହେଁ ଚୀନ ସୀମା ନିକଟରେ ହେଲିପ୍ୟାଡ ଓ ପକ୍କା ସଡ଼କ ମଧ୍ୟ ନିର୍ମାଣ କରିଛି ।

ଚୀନର ଏସବୁ କାର୍ଯ୍ୟ ଉପରେ ଭାରତ ତୀକ୍ଷଣ ଦୃଷ୍ଟି ରଖିଛି ଓ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର