‘ଦଙ୍ଗଲ’ ଫିଲ୍ମକୁ ଦେଖି ମୋଦୀଙ୍କୁ କ’ଣ କହିଲେ ଚୀନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦଙ୍ଗଲ’କୁ ଦେଖିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ | କେବଳ ଫିଲ୍ମ ଦେଖିନାହାଁନ୍ତି ବରଂ ଫିଲ୍ମର ଢେର ପ୍ରଶଂସା ମଧ୍ୟ କରିଛନ୍ତି | ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏ ବାବଦରେ ସୂଚନା ଦେଇଛନ୍ତି | ମୋଦୀ କହିଛନ୍ତି ଯେ ଭାରତ ଗସ୍ତରେ ଯେତେବେଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆସିଥିଲେ ସେ କହିଥିଲେ ଯେ ‘ଦଙ୍ଗଲ’ ଫିଲ୍ମକୁ ସେ ଦେଖିଛନ୍ତି |

ଭାରତର ଝିଅମାନେ ବହୁତ ସାହସୀ ବୋଲି ଜିନପିଙ୍ଗ କହିଥିଲେ | ଏହି ଫିଲ୍ମଟି ଭାରତରେ ଯେତିକି ବ୍ୟବସାୟ କରିଥିଲା, ଚୀନ୍‌ରେ ତା’ଠୁ ଆହୁରି ଅଧିକ ଆୟ କରିଥିଲା। ଫିଲ୍ମଟିକୁ ଚୀନ୍‌ର ଦର୍ଶକମାନେ ଭୁରିଭୁରି ପ୍ରଶଂସା କରିଥିଲେ ଏବଂ ସେଠାକାର ଅନେକ ହଲ୍‌ରେ ‘ଦଙ୍ଗଲ୍‌’ ମାସ ମାସ ଧରି ଚାଲିଥିଲା।

ଉଲ୍ଲେଖଯୋଗ୍ୟ ଯେ କେବଳ ଭାରତ ଓ ଚୀନ୍‌ରେ ନୁହେଁ, ‘ଦଙ୍ଗଲ୍‌’ ଆମେରିକା, କାନାଡା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସଂଯୁକ୍ତ ଆରବ, ତାଇଓ୍ଵାନ୍‌ ଓ ଅନ୍ୟ ଅନେକ ଦେଶରେ ମଧ୍ୟ ଖୁବ୍‌ ଭଲ ବ୍ୟବସାୟ କରିଥିଲା । ଭାରତୀୟ କୁସ୍ତି ଯୋଦ୍ଧା ମହାବୀର ସିଂହ ଫୋଗତ୍‌ଙ୍କ ଜୀବନୀ ଉପରେ ଆଧାରିତ ‘ଦଙ୍ଗଲ୍‌’ ଡିସେମ୍ବର ୨୩ ତାରିଖ, ୨୦୧୬ ମସିହାରେ ରିଲିଜ୍‌ ହୋଇଥିଲା | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅମୀର ଖାନଙ୍କ ସହ ଜାଇରା ବାସିମ, ଫତିମା ସନା ଶେଖ ପ୍ରମୁଖ ଅଭିନୟ କରିଥିଲେ |

ସମ୍ବନ୍ଧିତ ଖବର