୨ ଥରରୁ ଅଧିକ ହେବ ଚୀନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ

ଜିନ୍‌ପିଙ୍ଗ୍‌ଙ୍କ ହାତରେ ଏକଚାଟିଆ କ୍ଷମତା

ବେଜିଂ: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଅନିର୍ଦ୍ଦିଷ୍ଟ କାଳ ରାଷ୍ଟ୍ରପତି ପଦରେ ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଚୀନ୍‌ ସମ୍ବିଧାନରେ ରାଷ୍ଟ୍ରପତି ଦୁଇ ଥର କ୍ଷମତାରେ ରହିବା ନିୟମ ରହିଛି। ତେବେ ଏହି ନିୟମରେ ପରିର୍ବତନ ଆଣିବା ଲାଗି ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ରବିବାର ଏକ ପ୍ରସ୍ତାବ ଆଣିଛି। ରାଷ୍ଟ୍ରପତିଭାବେ ୬୪ ବର୍ଷୀୟ ସି ଜିନ୍‌ପିଙ୍ଗ୍‌ଙ୍କ ୫ ବର୍ଷିଆ ପ୍ରଥମ ଅବଧିର କାର୍ଯ୍ୟକାଳ ନିକଟ ଭବିଷ୍ୟତରେ ଶେଷ ହେବାକୁ ଯାଉଛି। ଆସନ୍ତାମାସ ୫ ତାରିଖରେ ଆରମ୍ଭ ହେବାକୁ ଥିବା ଚୀନ୍‌ ସଂସଦରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତିଭାବେ ନିର୍ବାଚିତ କରାଯିବ। ଦଳ ଏବଂ ସେନା ମୁଖ୍ୟ ଭାବେ ଯଦିଓ ସାଧାରଣତଃ ୧୦ ବର୍ଷ କାର୍ଯ୍ୟ କରିବା ବ୍ୟବସ୍ଥା ରହିଛି ସେ ନେଇ କୌଣସି ଆଇନଗତ କଟକଣା ନାହିଁ। ଦଳ ଏବଂ ସେନାର ମୁଖ୍ୟ ଭାବେ ତାଙ୍କର ଦ୍ୱିତୀୟ ଅବଧି ଗତ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏହି ପଦରେ ମଧ୍ୟ ସେ ୫ ବର୍ଷ ପାଇଁ କାର୍ଯ୍ୟ କରିଥାନ୍ତି। ଚୀନର ସରକାରୀ ଖବରସରାହ ସଂସ୍ଥା ଜିନୁଆ ପକ୍ଷରୁ କୁହାଯାଇଛି ଚୀନ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ପକ୍ଷରୁ ଆସିଥିବା ପ୍ରସ୍ତାବ ନେଇ ସହମତି ପ୍ରକାଶ ପାଇଛି। ଏହି ପ୍ରସ୍ତାବରେ ଉପରାଷ୍ଟ୍ରପତିଙ୍କ ପଦର କାର୍ଯ୍ୟକାଳ ବୃଦ୍ଧିକୁ ମଧ୍ୟ ସାମିଲ କରାଯାଇଛି। ଚୀନ୍‌ର ପାର୍ଲାମେଣ୍ଟରେ ଏହି ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦୁଇଟି ଅବଧିରୁ ଅଧିକ ଥର କାର୍ଯ୍ୟ କରିବା ସୁଯୋଗ ପାଇବେ।

ପରିବର୍ତ୍ତିତ ବିଶ୍ୱ ରାଜନୈତିକ ଦୃଶ୍ୟପଟରେ ଜିନ୍‌୍‌ପିଙ୍ଗଙ୍କୁ ସର୍ବଶକ୍ତିମାନ ଭାବେ ଉପସ୍ଥାପନ କରିବା ଏବଂ ଆମେରିକା ରାଷ୍ଟ୍ରପତିଙ୍କଠାରୁ ଅଧିକ କ୍ଷମତାଶଳୀ ଭାବେ ଦେଖାଇବା ପାଇଁ ଚୀନ୍‌ ଯୋଜନା କରିଛି। ଜିନ୍‌ପିଙ୍ଗ୍‌ଙ୍କ ନେତୃତ୍ୱରେ ଦେଶର ବିକାଶ, ସୁରକ୍ଷା, ନିଯୁକ୍ତି ଏବଂ ବାଣିଜ୍ୟିକ ବିସ୍ତାରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଥିବାରୁ ତାଙ୍କର ନେତୃତ୍ୱ ଅଧିକ ସମୟ ପାଇଁ ରାଷ୍ଟ୍ର ଆବଶ୍ୟକ କରୁଛି ବୋଲି ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ବରିଷ୍ଠ ନେତାମାନେ କହିଛନ୍ତି। ଇତିମଧ୍ୟରେ ଜିନ୍‌ପିଙ୍ଗ୍‌ଙ୍କ ବିରୋଧୀମାନଙ୍କୁ ମୁହଁ ଖୋଲିବାକୁ ସୁଯୋଗ ଦିଆଯାଉନାହିଁ ଏବଂ ସେମାନଙ୍କୁ ଦବାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର