ଭାରତ ରାସ୍ତାରେ ଚୀନ୍‌ ହିଁ କଣ୍ଟା

ଏନ୍‌ଏସ୍‌ଜି ନେଇ ସ୍ଥିତି ସ୍ପଷ୍ଟ କଲା ଆମେରିକା

ଓ୍ଵାସିଂଟନ: ଭାରତର ରାସ୍ତାରେ ଏବେ ଚୀନ୍‌ ହିଁ ସବୁଠାରୁ ବଡ଼ କଣ୍ଟା ସାଜିଛି। ଚୀନ୍‌ର ଲଗାତାର ବିରୋଧ ଓ ଭିଟୋ ଯୋଗୁଁ ଭାରତ ପରମାଣୁ ଯୋଗାଣକାରୀ ରାଷ୍ଟ୍ରସମୂହ (ଏନ୍‌୍‌ଏସ୍‌ଜି)ର ସଦସ୍ୟତା ହାସଲ କରିପାରୁ ନାହିଁ। ଭାରତକୁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କର ପୂର୍ଣ୍ଣ ସମର୍ଥନ ସତ୍ତ୍ୱେ ଚୀନ୍‌ର ଭିଟୋ ଯୋଗୁଁ ଭାରତକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଆମେରିକା ସ୍ପଷ୍ଟ କରିଛି। ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୪୮ ସଦସ୍ୟ ବିଶିଷ୍ଟ ପରମାଣୁ କ୍ଲବ୍‌ରେ ସାମିଲ ହେବାପାଇଁ ଭାରତର ପ୍ରୟାସକୁ ଚୀନ୍‌ ଲଗାତାର ବିରୋଧ କରି ଚାଲିଛି ଏବଂ ପାକିସ୍ତାନକୁ ବାହାନା କରି ବିଭ୍ରାନ୍ତି ସୃଷ୍ଟି କରିଛି। ଭାରତ ଭଳି ଦାୟିତ୍ୱସଂପନ୍ନ ମହାଶକ୍ତିକୁ ଏନ୍‌୍‌ଏସ୍‌୍‌ଜିରୁ ବଞ୍ଚିତ ରଖିବା ପାଇଁ ଚୀନ୍‌ ନାନା ବାହାନା ସୃଷ୍ଟି କରୁଛି ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ଉପରେ ମଧ୍ୟ ଚାପ ପକାଉଛି। ତେବେ ଚୀନ୍‌ର ଏହି ଚାଲ୍‌ ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ, ଭାରତ ଯଥା ସମୟରେ ଏନ୍‌୍‌ଏସ୍‌୍‌ଜି ସଦସ୍ୟତା ହାସଲ କରିବ ବୋଲି ଆମେରିକାର ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ବ୍ୟାପାର ମୁଖ୍ୟ ଏଲିସ୍‌ େଓ୍ଵଲ୍‌୍‌ସ କହିଛନ୍ତି। ଭାରତ-ଆମେରିକା ସାମରିକ ସଂପର୍କ ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ନିଜର ସର୍ବାଧିକ ଘନିଷ୍ଠ ରାଷ୍ଟ୍ରଙ୍କ ମଧ୍ୟରେ ଭାରତକୁ ସାମିଲ କରି ଷ୍ଟ୍ରଟେଜିକ୍‌ ଟ୍ରେଡ ଅଥରାଇଜେସନ (ଏସ୍‌୍‌ଟିଏ-୧) ମାନ୍ୟତା ପ୍ରଦାନ କରିଛି। ରଣନୀତିକ ଦୃଷ୍ଟିରୁ ଭାରତ-ଆମେରିକା ଅତ୍ୟନ୍ତ ଘନିଷ୍ଠ ଏବଂ ଏହା ବିଶ୍ୱ ଶାନ୍ତି ପାଇଁ ଉଦ୍ଦିଷ୍ଟ ବୋଲି ଏଲିସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର